ଏବେ ପନିପରିବା ପଚିବାକୁ ନାହିଁ ଡର, ଚାଷୀଙ୍କୁ ମିଳୁଛି ‘ସବଜି କୁଲର’

ସୁନ୍ଦରଗଡ଼ : କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି । ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ ଅଗଣା ବା ବାରିରେ ଏହି କୁଲର ନିର୍ମାଣ କରି ପନିପରିବା ସାଇତି ରଖୁଛନ୍ତି । ଫଳରେ ଏବେ କ୍ଷେତରୁ ପରିବା ତୋଳିବା ପରେ ହେଉ କି ବଜାରରେ ବିକ୍ରି ନହୋଇ ବଳି ଯାଇଥିବା ପରିବାକୁ ସଂରକ୍ଷିତ କରି ରଖିବା ପାଇଁ ଚାଷୀଙ୍କୁ ସୁବିଧା ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, କୁଆରମୁଣ୍ଡା ଓ ଟାଙ୍ଗରପାଲି ବ୍ଲକର ୫୦ରୁ ଅଧିକ ଚାଷୀ ନିଜ ବାରିରେ ଏହି କୁଲର ନିର୍ମାଣ କରିଛନ୍ତି । ଆଗକୁ ଏହି ବ୍ଲକ ଅଞ୍ଚଳରେ ଆଉ ୫୦ଟି କୁଲର ନିର୍ମାଣ ହେବାକୁ ଯାଉଛି।

‘‘ଚାଷୀମାନଙ୍କ ଜୀବନକୁ ନୂଆ ମୋଡ଼ ଦେଇଛି ସବଜି କୁଲର । ନିଜ ବାରିରେ ସବଜି କୁଲର ନିର୍ମାଣ କରି ସେମାନେ ପନିପରିବା ସାଇତି ରଖିବା ସମ୍ଭବ ହୋଇଛି । ଫଳରେ ଚାଷୀର ଫସଲ ଆଉ ନଷ୍ଟ ହେଉନାହିଁ । ଏଥିରେ ଜିଲ୍ଲାର ଅଧିକରୁ ଅଧିକ ଚାଷୀ କିପରି ଯୋଡ଼ି ହେବେ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି’’ । ବିନା ବିଜୁଳି ଓ ସୌର ଶକ୍ତିରେ ସବଜି କୁଲର ଚାଲି ପାରୁଛି । ଏଥିରେ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପନିପରିବା ସାଇତି ରଖିବାର କ୍ଷମତା ରହିଛି । ପ୍ରାୟ ୭ ଦିନ ଯାଏଁ ପନି ପରିବା ଏଥିରେ ସତେଜ ରହି ପାରୁଛି ।

ସବଜି କୁଲର କଣ 

‘ସବଜି କୁଲର’ ନିର୍ମାଣ ପାଇଁ ମୁମ୍ବାଇର ରୁକାଟ ଟେକ୍ନୋଲୋଜି ବୈଷୟିକ ସହାୟତା ଯୋଗାଇ ଦେଉଛି। ଏନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦେଶପ୍ରେମୀ ଏବଂ ରୁକାଟ ମଧ୍ୟରେ ଏମଓୟୁ ସ୍ୱାକ୍ଷର କରାଯାଇଛି । ଏଥିପାଇଁ ଜିଲ୍ଲା ପାରିପାର୍ଶ୍ୱିକ ବିକାଶ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ସବଜି କୁଲର ହେଉଛି ଏକ ଧାତବ କକ୍ଷ ବା ଚାମ୍ବର। ଯାହାକୁ ରୁକାଟ ପକ୍ଷରୁ ବିକଶିତ କରାଯାଇଛି । ଏହି ଚାମ୍ବର ସହିତ ୧୬୦୦ଟି ପ୍ଲାଷ୍ଟିକ ବଲ୍ ଯୋଡ଼ା ଯାଇଛି । ଏହି ଚାମ୍ବରକୁ ସ୍ଥାପନ କରିବା ପାଇଁ ଚାଷୀ ଇଟା ସିମେଣ୍ଟ ଦେଇ ଛୋଟିଆ କକ୍ଷଟିଏ ନିର୍ମାଣ କରିଥାଏ। ତେଣୁ ସବଜି କୁଲର ପାଇଁ ସମସ୍ତ ଯନ୍ତ୍ରାଂଶ ସହ ପରିବା ରଖିବା ପାଇଁ ପ୍ଲାଷ୍ଟିକ ଝୁଡ଼ି ମଧ୍ୟ ରୁକାଟ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହି କ୍ଷୁଦ୍ର କକ୍ଷଟି ଏକ ଶୀତଳଭଣ୍ଡାର ଭଳି କାମ କରୁଥିବାରୁ ଚାଷୀ ପାଇଁ ବରଦାନ ହୋଇଛି । ସବଜି କୁଲର ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ସହ ଏହାର ଆବଶ୍ୟକ ମରାମତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

‘‘ପନିପରିବା ବିକ୍ରି ନହୋଇ ବଳି ପଡ଼ିଲେ ତାହା ନଷ୍ଟ ହୋଇ ଯାଉଥିଲା । ଏହା ଫଳରେ ଚାଷୀ ଅଧିକ କ୍ଷତି ସହୁଥିଲି । କିନ୍ତୁ ଯେବେଠୁ ସବଜି କୁଲର ନିର୍ମାଣ ହୋଇଛି ସେବେଠୁ ପନିପରିବା ଆଉ ନଷ୍ଟ ହେଉନି । ଏଥିରେ ପରିବା ସତେଜ ରହୁଛି’’ ।

Leave a Reply