ସରୁନି ମଣ୍ଡି ଟେନସନ । ବେଧଡକ ଚାଲିଛି କଟନୀ ଛଟନୀ । ମଣ୍ଡି ଯନ୍ତ୍ରଣାରେ ପେଷି ହେଉଛନ୍ତି ଅନ୍ନଦାତା । ଅସାଧୁ କର୍ମଚାରୀ, ସମ୍ପାଦକ ଓ ମିଲର୍ସଙ୍କ ମିଲିଭଗତରେ ହେଉଛି ଚାଷୀ ଶୋଷଣ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ ଧାନ ମଣ୍ଡି ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ । ନଡିଆ ବାଡେଇ କାମ ସାରିଦେଲେ ଅସ୍ତରଙ୍ଗ ବିଡିଓ । ହେଲେ ମଣ୍ଡିରୁ ଉଠୁନି ଧାନ । ଶୀତ କାକରରେ ମଣ୍ଡିରେ ଧାନ ବସ୍ତା ଜଗିବସୁଛନ୍ତି ଚାଷୀ । ପୁରୀ ଜିଲ୍ଲା କାକଟପୁର ବ୍ଲକରେ ୩ ରୁ ୪ଟି ମଣ୍ଡି ଖୋଲିଥିବା ବେଳେ ଅସ୍ତରଙ୍ଗ ବ୍ଲକର ୧୦ଗୋଟି ପ୍ୟାକ୍ସରୁ ଦୁଇଟି ମଣ୍ଡି ଖୋଲିଛି । କେନ୍ଦ୍ରାପଟି ସେବା ସମବାୟ ସମିତିରେ କର୍ମଚାରୀଙ୍କ ମନମାନିରୁ ମଣ୍ଡିରୁ ଉଠୁପାରୁନି ଧାନ ।
ଚାଷୀଙ୍କ ସମସ୍ୟା ଉପରେ ନଜର ରଖିବାକୁ ଅସ୍ତରଙ୍ଗ ବିଡିଓଙ୍କୁ ଦାୟିତ୍ଵ ଦେଇଥିଲେ ଜିଲ୍ଲା ପ୍ରଶାସନ । ହେଲେ ଅସ୍ତରଙ୍ଗରେ ଧାନ ମଣ୍ଡି ଆରମ୍ଭରୁ ଦେଖାଦେଇଛି ଅବ୍ୟବସ୍ଥା । ଶୀତ କାକରରେ ପଡି ରହିଛି ଧାନ । ଏହା ସହ ଧାନର ମାନ ନିର୍ଦ୍ଧାରଣ ପାଇଁ ମଣ୍ଡିକୁ ଆସୁନି ଗ୍ରେନ ଆନାଲାଇଜର ମେସିନ । ଅଖା ସମସ୍ୟା ସହ କଟନୀ ଛଟନୀରେ ପେଷି ହେଉଛନ୍ତି ଅନ୍ନଦାତା । ହେଲେ ସ୍ଥାନୀୟ ବିଡିଓ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ଏରିଆ ଅଫିସର ।

