ଶୁକ୍ରବାର ଭାରତ ବନ୍ଦ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ

ଭୁବନେଶ୍ବର: କେନ୍ଦ୍ର କୃଷି ଆଇନକୁ ବିରୋଧ ଜାରି ରଖିଥିବା କୃଷକଙ୍କ ଆନ୍ଦୋଳନକୁ ଶୁକ୍ରବାର ୪ ମାସ ପୁରିବାକୁ ଯାଉଛି । କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ନହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାର ରହିବ ବୋଲି ଚେତାବନୀ ଶୁଣାଇ ସାରିଛନ୍ତି ଆନ୍ଦୋଳନରତ କୃଷକ । ସେପଟେ କୃଷି ଆଇନର ପ୍ରତିବାଦରେ ପୁନର୍ବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା।

ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳ ୬ରୁ ସଂନ୍ଧ୍ୟା ୬ ଯାଏଁ ଭାରତ ବନ୍ଦ ପାଳନ କରାଯିବ । ସେପଟେ ବନ୍ଦ ପାଳନ ସମୟରେ ସଡକ, ରେଳ ପରିବହନ ସହ ବଜାର ବନ୍ଦ ରହିବ । କେବଳ ଅତ୍ୟାବଶକୀୟ ସେବା ଜାରି ରହିବ । ଆମ୍ବୁଲାନ୍ସ ସେବା ସମେତ ସମସ୍ତ ଜରୁରୀକାଳୀନ ସେବା ବନ୍ଦରୁ ବାଦ ରହିବ ବୋଲି କହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା।

ଦୀର୍ଘ ଚାରି ମାସ ଧରି କୃଷକ ରାଜରାସ୍ତାରେ ହକକ ପାଇଁ ଲଢେଇ କରୁଥିବାବେଳେ ସରକାର ବଧିର ସାଜିଛି । ଯେ ପର୍ଯ୍ୟନ୍ତ ଆମକୁ ଆମ ହକ ମିଳିନାହିଁ, ସେପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି କହିଛନ୍ତି ଚାଷୀ ନେତା ବୁଟା ସିଂ । ସରକାର ଆମ ସହ କୈଣସି ସକରାତ୍ମକ ଆଲୋଚନା କିମ୍ବା ବିଚାର କରୁନାହାଁନ୍ତି, ଏବଂ ତାଙ୍କର ଉଦେଶ୍ୟ ମଧ୍ୟ ଏଥିପ୍ରତି ନଥିଲା ଭଳି ମନେ ହେଉଛି । ତେଣୁ ଆମେ ଭାରତ ବନ୍ଦ ଡାକରା ଦେଉଥିବା ମଧ୍ୟ ସେ କହିଛନ୍ତି ।

ସେପଟେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଅନେକ କୃଷକ ସଂଗଠନ ସହ ଅନ୍ୟାନ୍ୟ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି । ଭାରତବନ୍ଦକୁ ଶାନ୍ତିର ସହ ପାଳନ କରିବାକୁ ସମସ୍ତ ଚାଷୀ ସଂଗଠନକୁ ଆହ୍ବାନ ଦେଇଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା ସଦସ୍ୟ ।

Leave a Reply