ଚାଷୀଙ୍କୁ ଘାରିଛି ରୋଗ ପୋକ ଚିନ୍ତା: କାମ କରୁନି କୀଟନାଶକ, ମାଡ଼ି ଗଲେଣି ପୋକ

ଧାନ କେଣ୍ଡା ବାହାରିବା ସମୟରେ ଦାଉ ସାଧିଲାଣି ରୋଗ ପୋକ । କାମ କରୁନି କୀଟନାଶକ । ହେକ୍ଟର ହେକ୍ଟର ଜମିରେ ମାଡିଗଲାଣି ଗନ୍ଧିପୋକ, କାଣ୍ଡବିନ୍ଧା, ଲିପଫୋଲଡର ପୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳର ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ବିଭିନ୍ନ ପ୍ରକାର ରୋଗପୋକ ଲାଗି ଧାନ ଗଛ ସବୁ ଶୁଖିଗଲାଣି । ଧାର କରଜ କରି ହେକ୍ଟର ହେକ୍ଟର ଜମିରେ ସୁନାର ଫସଲ ଫଳାଇଥିବା ଚାଷୀ ଏବେ କିପରି ଋଣ ସୁଝିବେ ? ପରିବାର କିପରି ପ୍ରତିପୋଷଣ କରିବେ ? ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

କଣ୍ଟାମାଳ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମିରେ ପୋକ ଲାଗି ଧାନ ଗଛ ନଷ୍ଟ ହୋଇଗଲାଣି । ଉଜୁଡା କ୍ଷେତକୁ ଦେଖି ଚାଷୀଙ୍କ ମନୋବଳ ଭାଙ୍ଗିଗଲାଣି । ହେଲେ ଚାଷୀଙ୍କ ପାଖରେ କୌଣସି କୃଷି ଅଧିକାରୀ ଏପର୍ଯ୍ୟନ୍ତ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଆମେ ଚାଷୀଙ୍କ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି ବ୍ଲକ କୃଷି ଅଧିକାରୀ । ସରକାର ଚାଷୀଙ୍କ ସମସ୍ୟାକୁ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।