ଦୁଃଖ ଆଣିଛି ଋଷିକୂଲ୍ୟା ବନ୍ୟା: ଉଜାଡିଦେଲା ସୁନାର ଫସଲ, ଚିନ୍ତାରେ ଚଷା ପୁଅ

ଦୁଃଖ ଆଣିଛି ଋଷିକୂଲ୍ୟା ବନ୍ୟା । ଉଜାଡିଦେଲା ସୁନାର ଫସଲ । ଚିନ୍ତାରେ ଚଷା ପୁଅ । ଗତ ଲଗାଣ ବର୍ଷାରେ ଋଷିକୂଲ୍ୟା ନଦୀରେ ବନ୍ୟା ଆସିବାରୁ ଗଞ୍ଜାମର ନଦୀ ତଟବର୍ତ୍ତୀ ଗାଁ ଗୁଡିକରେ ବ୍ୟାପକ ଫସଲ ନଷ୍ଟ ହୋଇଛି । କେଉଁଠି ଜମିରେ ବାଲି ଚରିଯାଇଛି ତ ଆଉ କେଉଁଠି ଭୂଇଁରେ ଲୋଟିଛି ଧାନ ଗଛ । ଅନେକ ଜମିରେ ଏବେବି ପାଣି ଜମି ରହିଥିବା ବେଳେ ଉଜୁଡା ଚାଷକୁ ମାଟିରୁ ସାଉଁଟୁଛନ୍ତି ଚାଷୀ । ଧରାକୋଟ ବ୍ଳକ କୁଶପଡା ଗାଁରେ ବନ୍ୟା ପାଣି ମାଡିଯିବାରୁ ଶହ ଶହ ହେକ୍ଟର ଜମିରେ ଧାନ ଫସଲ ସହ ପନିପରିବା ଚାଷ ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ କିପରି ଋଣ ସୁଝିବେ ? କିପରି ପରିବାର ଚଳାଇବା ? ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଋଷିକୂଲ୍ୟା ନଦୀ ଓ ବଡ଼ ନଦୀ କୂଳରେ ଥିବା ବହୁ ଗାଁ ଲୋକଙ୍କ ଫସଲ ନଷ୍ଟ ହୋଇଛି । ବିଶେଷ କରି ସିଙ୍ଗିପୁର, ବ୍ରାହ୍ମଣ ଦେଇ, ନୂଆଗଡ଼, ଯାହାଡା ଆଦି ଗାଁରେ ବହୁ ଫସଲ ନଷ୍ଟ ହୋଇଛି । ଗ୍ରାଉଣ୍ଡକୁ ଜିଲ୍ଲାପାଳ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ତହସିଲଦାର, କୃଷି ବିଭାଗ ଅଧିକାରୀ, ଉଦ୍ୟାନ ବିଭାଗ ଓ ଅନ୍ୟ କର୍ମଚାରୀଙ୍କୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି କ୍ଷତିଗ୍ରସ୍ତ ଚାଷୀ ଏବେବି ଆଶଙ୍କା ଭିତରେ ଅଛନ୍ତି । ଉଜୁଡିଯାଇଥିବା ଫସଲର ଉପଯୁକ୍ତ ଭରଣା ମିଳିବ ତ ? ନା ପ୍ରଶାସନର ପ୍ରତିଶୃତି ପାଣିର ଗାର ପାଲଟିବ ? କ୍ଷୟକ୍ଷତିର ସମ୍ମୁଖୀନ ହେଇଥିବା ଚାଷୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀଘ୍ର ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି ।