ବିଜେପି ସରକାରର ପ୍ରତିଶ୍ରୁତି ପାଲଟିଛି ପାଣିରଗାର: ମିଲର ଓ ଅସାଧୁ ବେପାରୀଙ୍କ ପାଇଁ କ୍ଷତି ସହୁଛନ୍ତି ଚାଷୀ
1 min readସୁନ୍ଦରଗଡ଼: ବିଜେପି ସରକାରର ପ୍ରତିଶୃତି ପାଲଟିଛି ପାଣିରଗାର । କଟନି ଛଟନିରେ ପେଶିହେଉଛନ୍ତି ଚାଷୀ । FAQ ଆଳରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୯୩ ଟଙ୍କା ଲୁଟ୍ । ସୁନ୍ଦରଗଡର ସମସ୍ତ ମଣ୍ଡିରେ ଖୁଲମଖୁଲା ଚାଲିଛି ଚାଷୀଙ୍କ ଅଣ୍ଟିରୁ ଲୁଟ୍ । ମିଲର ଏବଂ ଅସାଧୁ ବେପାରୀଙ୍କ ଆପୋଷ ବୁଝାମଣାରେ କଟାଯାଉଛି ଚାଷୀଙ୍କ ଧାନ । କୁଇଣ୍ଟାଲ ପ୍ରତି କଟାଯାଉଛି ୩ ରୁ ୪ କେଜି ଧାନ । ତେବେ କୁଇଣ୍ଟାଲ ପ୍ରତି ଚାଷୀ ସିଧାସଳଖ ୯୩ ଟଙ୍କା କ୍ଷତି ସହୁଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଚଳିତ ବର୍ଷ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାରେ ୧୯ ଲକ୍ଷ ୩୪ ହଜାର କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆସିଛି । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟାର୍ଗେଟ ଆଗକୁ ଆସିବାକୁ ବାକି ରହିଛି । ହେଲେ ବର୍ତ୍ତମାନ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୩ ରୁ ୪ କେଜି ଧାନ କଟାଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ସୁନ୍ଦରଗଡ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁରୁଖୁରୁରେ ଧାନ କିଣା ଚାଲିଛି । କଟନି ଛଟନିର କୌଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ଯଦି ଆସେ ତାହାହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏଠି ପ୍ରଶ୍ନ ଉଠୁଛି ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାହିଁକି ଖାତିର କରୁନାହାଁନ୍ତି ସୁନ୍ଦରଗଡ ଯୋଗାଣ ଅଧିକାରୀ ଓ ମିଲର ? କାହିଁକି ମିଲରଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଇଛି ଜିଲ୍ଲା ପ୍ରଶାସନ ? ମିଲରଙ୍କ ପକେଟକୁ ଚାଷୀଙ୍କ ଅଣ୍ଟିରୁ ଯାଉଥିବା ୧୮ କୋଟି ଟଙ୍କାରୁ କାହାର କେତେ ରହିଛି ଭାଗ ? ଚାଷୀଙ୍କ ସମସ୍ୟାର କେବେ ସମାଧାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।