ଇତିହାସରେ କେବେ ଓଡ଼ିଶା ଆସିନାହାନ୍ତି ପଙ୍ଗପାଳ, ଯଦି ଆସନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

1 min read

ଭୁବନେଶ୍ୱର: ଓଡ଼ିଶା ଆସିବେନି ପଙ୍ଗପାଳ । ଚାଷୀମାନେ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ । ଚାଷୀଙ୍କୁ ଏଭଳି ଆଶ୍ୱସନା ଦେଇଛନ୍ତି କୃଷି ବିଶେଷଜ୍ଞ ତଥା OUAT ଡିନ୍‌ ଲଳିତ ମୋହନ ଗଡ଼ନାୟକ । ସେ କହିଛନ୍ତି ଓଡ଼ିଶାକୁ କେବେ ବି ପଙ୍ଗପାଳ ଆସିବାର କୌଣସି ଇତିହାସ ନାହିଁ । ତେଣୁ ଓଡ଼ିଶା ଚାଷୀଙ୍କୁ ଡରିବାରେ କିଛି ନାହିଁ । ତେବେ ପଙ୍ଗପାଳଠାରୁ ଫସଲକୁ ସୁରକ୍ଷା ଦେବାକୁ ହେଲେ ସେଥିରେ ନିମ୍ବ ତେଲ ବ୍ୟବହାର କରନ୍ତୁ ବୋଲି ଲଳିତ ମୋହନ କହିଛନ୍ତି ।

ଅନ୍ୟପଟେ ଓୟୁଏଟି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ପଙ୍ଗପାଳ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚିଥିବା ଜଣାପଡ଼ିଛି । ତେଣୁ ସେମାନେ ଓଡ଼ିଶା ଆସିବାର ମଧ୍ୟ ସମ୍ଭାବନା ରହିଛି । ତେବେ ପଙ୍ଗପାଳ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ଅନେକ ପରାମର୍ଶ ମଧ୍ୟ ଦିଆଯାଇଛି ।

୧.ପ୍ରଥମେ କୁହାଯାଇଛି ପଙ୍ଗପାଳଙ୍କୁ ନେଇ ନିୟମିତ ଭାବେ ଦିଆଯାଉଥିବା କୃଷି ପରାମର୍ଶଗୁଡ଼ିକୁ ଭଲ ଭାବେ ଚାଷୀମାନେ ଶୁଣନ୍ତୁ ଏବଂ ସେହି ଅନୁସାରେ କାର୍ଯ୍ୟ କରନ୍ତୁ ।

୨.ସୀମାବର୍ତ୍ତୀ ରାଜ୍ୟରେ ପଙ୍ଗପାଳ ଯଦି ପହଞ୍ଚିଯାଆନ୍ତି ତେବେ ଫସଲରେ ପ୍ରତିଷେଧକ ଭାବେ ୫ ପ୍ରତିଶତ ନିମ୍ବମଞ୍ଜି ଉଦ୍ଧୃତାଂଶର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଉପରବେଳା ସିଞ୍ଚନ କରନ୍ତୁ ।

୩.ଏହା ବଦଳରେ ବଜାରରେ ମିଳୁଥିବା ୩୦୦ ପିପିଏମ୍‌ର ନିମ୍ବ ଆଧାରିତ କୀଟବିଷକୁ ଏକର ପ୍ରତି ଏକ ଲିଟର ହିସାବରେ ୨୦୦ ଲିଟର ପାଣିରେ ମିଶାଇ ଉପରବେଳା ସିଞ୍ଚନ କରାଯାଇପାରେ ।

୪.ପଙ୍ଗପାଳ ଦଳ ଫସଲ କିଆରୀରେ ପହଞ୍ଚିଯାଇଥିଲେ । ସେଗୁଡ଼ିକୁ ବିଭିନ୍ନ ଉପାୟରେ ଯଥା, ଟିଣ ବାଡ଼େଇ କଣ୍ଟାଯୁକ୍ତ ଡାଳରେ ବାଡ଼େଇ ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ ।

୫.ସନ୍ଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ତଳେ ପଲିଥିନ୍‌ ଜରି ବିଛାଇ ଡାଳ ଗୁଡ଼ିକୁ ହଲାଇଦେଲେ ସେମାନେ ଗଛରୁ ଖସିପଡ଼ିବେ । ସେଗୁଡ଼ିକୁ ସଂଗ୍ରହକରି କିରାସିନି ମିଶାଇ ପାଣିରେ ବୁଡ଼ାଇ ମାରି ଦିଅନ୍ତୁ ।

୬.ଏତଦ୍‌ବ୍ୟତୀତ କୀଟମାନଙ୍କ ଦ୍ୱାରା ଆକ୍ରାନ୍ତ ଫସଲ ଉପରେ ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ କରନ୍ତୁ । କିମ୍ବା ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‌ ୫୦ ଇ.ସି.କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ଏହି ସବୁ ପନ୍ଥା ଆପଣାଇବା ଦ୍ୱାରା ପଙ୍ଗପାଳଙ୍କଠାରୁ ଫସଲକୁ ସୁରକ୍ଷ ଦିଆଯାଇପାରିବ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି ।

Leave a Reply