ଚାଷ ଛାଡି ହେଲିକପ୍ଟର ଚଲାଇବାକୁ ଚାହୁଁଛନ୍ତି ଚାଷୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…
1 min readମୁମ୍ବାଇ: ଚାଷ ଛାଡି ହେଲିକପ୍ଟର କିଣିବାକୁ ଚାହୁଁଛନ୍ତି ମହାରାଷ୍ଚ୍ରର ଜଣେ ୨୨ବର୍ଷୀୟ ଚାଷୀ । ତାଙ୍କର ଏପରି ଇଚ୍ଛା ପଛର ଘଟଣା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣା ଏମିତି- ମହାରାଷ୍ଟ୍ରର ହିଂଗୋଲି ଜିଲ୍ଲାର ତାକତୋଁଡା ଗାଁର କୃଷକ କୈଳାଶ ପତଙ୍ଗେଙ୍କ ପାଖରେ ଦୁଇ ଏକର ଚାଷ ଜମି ରହିଛି । କିନ୍ତୁ କୈଳାଶ ଏବେ ଚାଷ ଛାଡି ହେଲିକପ୍ଟର ଚଳାଇବା ପାଇଁ ଚାହୁଁଛନ୍ତି ।
କୈଳାଶ ନିଜ ଜମିରେ ସୋୟାବିନ ଚାଷ କରିଥାନ୍ତି । କିନ୍ତୁ କିଛି ବର୍ଷ ହେବ ବର୍ଷାରେ ଅନିୟମିତତା ଓ ମରୁଡି କାରଣରୁ ଚାଷ କରିବା କଷ୍ଟକର ହୋଇପଡିଛି । ଖର୍ଚ୍ଚ ତୁଳନାରେ ଆମଦାନୀ କମ୍ ହେଉଛି । ଚାଷ କାର୍ଯ୍ୟ କରି କ୍ଷତି ସହିବା ଅପେକ୍ଷା ହେଲିକପ୍ଟର ବ୍ୟବସାୟ ଲାଭଦାୟ ହେବ ବୋଲି ସେ କହିଛନ୍ତି । କୈଳାଶ ଚାଷ କାର୍ଯ୍ୟ ଛାଡି ହେଲିକପ୍ଟର କିଣି ତାକୁ ଭଡାରେ ଚଳାଇବା ପାଇଁ ଚାହୁଁଛନ୍ତି । ଯାହାଫଳରେ ପରିବାରର ପ୍ରତିପୋଷଣ ହୋଇପାରିବ ।
ଅନ୍ୟ ବ୍ୟବସାୟରେ କମ୍ପିଟସନ ରହିଛି ଏହି କାରଣରୁ ସେ ହେଲିକପ୍ଚର ଚଳାଇ ବ୍ୟବସାୟ କରିବାକୁ ଚାହୁଁଛନ୍ତି । ଚାଷୀ କୈଳାଶ ନିଜ ଜମି ବନ୍ଧକ ରଖି ବ୍ୟାଙ୍କଠୁ ୬.୬୫ କୋଟି ଟଙ୍କା ଋଣ ମାଗିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଠୁ ତାଙ୍କୁ ଋଣ ମିଳିନାହିଁ । ତେବେ ଏହି ଘଟଣାରୁ ସ୍ପଷ୍ଟ ଜଣା ଯାଉଛି ଯେ ଦିନକୁ ଦିନ ଲୋକମାନେ ଚାଷଠୁ ବିମୁଖ ହୋଇଯାଉଛନ୍ତି । ସଠିକ୍ ଜ୍ଞାନକୌଶଳ ଏବଂ ସରକାରୀ ସହାୟତା ଅଭାବରୁ ଚାଷ କାର୍ଯ୍ୟ ଛାଡୁଛନ୍ତି ଚାଷୀ ।