ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ଫସଲ ନଷ୍ଟକାରୀ ପୋକ

ବାଲେଶ୍ବର: ମୁଣ୍ଡଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ଧାନ କ୍ଷେତରେ ସୁନାର ଫସଲ ଫଳାଇଥିଲେ ଚାଷୀ। ଏବେ ଧାନରେ ଥୁଡ଼ ଧରିବା ବେଳକୁ ଫସଲ ନଷ୍ଟକାରୀ ପୋକ ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କ୍ଷେତରେ ଯେତେ ଔଷଧ ସିଞ୍ଚନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ନିରୁପାୟ ଚାଷୀ ଫସଲ ଅମଳ ହେବା ଆଗରୁ ଧାନଗଛକୁ କାଟି ପକାଉଛନ୍ତି । ବାଲେଶ୍ବର ଜିଲ୍ଲାର ନୀଳଗିରି ଉପଖଣ୍ଡରେ ଏଭଳି ଚାଷୀମାନେ ପୋକ ପାଇଁ ଚିନ୍ତାରେ ରହିଛନ୍ତି ।

ଭଲ ଫସଲ ଅମଳ ହେବ । ଧାର କରଜ ସବୁ ଶୁଝିବ। ଭଲରେ ବର୍ଷକର ପେଟପାଟଣ ଚଳିବ। ସୁନାର ଫସଲ ଦେଖି ସ୍ବପ୍ନ ଦେଖିଥିବା ଚାଷୀ ଏବେ ହତାସ । ଚାଷ ପାଇଁ ଦାଉ ସାଧିଛି ଚକଡା ପୋକ। ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକରେ ମୋଟ୍ 10ହଜାର 240 ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେଥିମଧ୍ୟରୁ ୨୫ଟି ପଂଚାୟତର ୧୫୬ ଗୋଟି ଗାଁର ୧୨୬ ହେକ୍ଟର ଚାଷ ଜମିରେ ବ୍ୟାପିଯାଇଛି ମାଟିଆ ଗୁଣ୍ଡି ପୋକ  । ସେହି ପରି ଔପଦା ବ୍ଲକ୍ର ମୋଟ ୯ ହଜାର ୫୮୩ ହେକ୍ଟର ଜମିରେ ହୋଇଥିବା ଧାନ ଚାଷରେ ବି ପୋକ ଲାଗିଛି । ଯେତେ ପ୍ରକାର ଔଷଧ ସିଞ୍ଚନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି ।

ଫସଲକୁ ସୁରକ୍ଷା ଦେବାପାଇଁ ନିରୁପାୟ ଚାଷୀ । ସେପଟେ ଫସଲ ନଷ୍ଟ ନେଇ ଉପଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେ ଅତିଶୀଘ୍ର ଫସଲ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ ସ୍ଥାନୀୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚାଷୀଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।