ଚାଷୀ ମୁଣ୍ଡରେ ଚଡ଼କ, ଚିନ୍ତା ବଢ଼ାଇଛନ୍ତି ଚକଡ଼ା ପୋକ

ଗୁଣୁପୁର: ଚାଷୀଙ୍କ ପାଇଁ ଦାଉ ସାଜିଛି ଚକଡା ପୋକ । ରାତାରାତି ଧାନ କ୍ଷେତ ନଷ୍ଟ ହୋଇଯାଉଛି । କୀଟନାଶକ ଔଷଧ ସିଞ୍ଚନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଏନେଇ ସରକାରୀ ସହାୟତା ପାଇଁ ଦାବି କରୁଛନ୍ତି ଚାଷିକୂଳ । ଚିନ୍ତା ବଢାଇଲା ଚକଡା ପୋକ । ରାତାରାତି ଖାଇଯାଉଛନ୍ତି ଧାନ ଫସଲ । ଧାରକରଜ କରି ଚାଷ କରିଥିବା ରାୟଗଡା ଚାଷୀ ହତାଶ । ଜିଲ୍ଲାରେ ୬୦ ହଜାର ୫୨୪ ହେକ୍ଟର ଜମିରେ ଚଳିତ ବର୍ଷ ଧାନ ଚାଷ ହୋଇଛି । ଏଥିରୁ ଗୁଣୁପୁରର ୧୫ ହଜାର ୩୬୨ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ନିଜ ଚାଷ ପାଇଁ ଚାଷୀ କରିଥିବା ହାଡଭଙ୍ଗା ପରିଶ୍ରମ ବୃଥା ପାଲଟିଛି ।

ଗୁଣୁପୁର, ପଦ୍ମପୁର, ରାମନାଗୁଡା, ଗୁଡାରି ଆଦି ସ୍ଥାନରେ ଧାନ ଜମିରେ ଚକଡା ପୋକର ପ୍ରାଦୁର୍ଭାବ ବଢିଯାଇଛି । ସବୁ ଫସଲ ନଷ୍ଟ କରିଛନ୍ତି ଚକଡା ପୋକ । ପୋକ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ କୀଟନାଶକ ଔଷଧ ସିଞ୍ଚନ କରି ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହି ବିପଦରୁ ମୁକ୍ତି ପାଇଁ ଏବେ ସରକାରଙ୍କ ସହୋଯୋଗ ଲୋଡିଛନ୍ତି ଚାଷୀ । ଚକଡା ପୋକ ସମସ୍ୟା ଏବେ ନିୟନ୍ତ୍ରଣାଧୀନ । ଅନ୍ୟ କିଛି ଅଞ୍ଚଳରୁ ଆସିଥିବା ଅଭିଯୋଗର ବି ଅନୁଧ୍ୟାନ କରାଯାଉଛି । ଯଦି କ୍ଷୟକ୍ଷତିର ରିପୋର୍ଟ ମିଳେ ତାହାହେଲେ ଉପଯୁକ୍ତ କ୍ଷତି ପୂରଣ ଯୋଗଇ ଦିଆଯିବ ବୋଲି କହିଛନ୍ତି କୃଷି ଜିଲ୍ଲା ଅଧିକାରୀ ।