spot_img

Latest Posts

ସାମ୍ନାକୁ ଆସିଲା ମିଲର୍ସଙ୍କ ଦାଦାଗିରି, ମଣ୍ଡିରେ କାନ୍ଦୁଛି ଚାଷୀ

ସଂଚାର ବ୍ୟୁରୋ: ବରଗଡ଼ରୁ ବଲାଙ୍ଗୀର, ସମ୍ବଲପୁରରୁ ସୁନ୍ଦରଗଡ଼, ସବୁଠି ଧାନ କିଣାକୁ ନେଇ ମଣ୍ଡିରେ ଅବ୍ୟବସ୍ଥା। କେଉଁଠି ଏଫଏକ୍ୟୁ ନାଁରେ କଟନି ଛଟନି ତ କେଉଁଠି ଓଜନରେ ଠକେଇ ଅଭିଯୋଗ। ମଣ୍ଡିରେ ବସ୍ତା ବସ୍ତା ଧାନ ବର୍ଷାରେ ନଷ୍ଟ ହେଉଥିବା ବେଳେ ବିଭିନ୍ନ ଜାଗାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ସମସ୍ୟା ଘେରରେ ଚାଷୀକୂଳ ଥିବା ବେଳେ ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି। ବର୍ଷା ଯୋଗୁଁ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ରାଜସ୍ବ ମନ୍ତ୍ରୀ କହିଥିବା ବେଳେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ମଣ୍ଡିରେ ବ୍ୟବସ୍ଥା କରାଯିବ , କୋହଳ ହେବ ଧାନ କିଣା କଟକଣା। ରାଜ୍ୟର ବିଭିନ୍ନ ଜାଗାରେ ଚାଷୀକୂଳ ତେଜିବା ଆରମ୍ଭ କରିଥିବା ବେଳେ ସରକାରଙ୍କ ଆଶ୍ବାସନାକୁ ସେମାନେ ଭରସା କରିପାରୁନାହାଁନ୍ତି ।

ମଣ୍ଡିରେ କାନ୍ଦୁଛି ଚାଷୀ। ସାମ୍ନାକୁ ଆସିଲା ମିଲର୍ସଙ୍କ ଦାଦାଗିରି। ସମ୍ବଲପୁରରେ ଚାଷୀଙ୍କ ପିଛା ଛାଡୁନି ସମସ୍ୟା। କଟନି ଛଟନି ଯୋଗୁଁ ହନ୍ତସନ୍ତ ଚାଷୀ।.ସମ୍ବଲପୁରରେ ଧାନ ବିକ୍ରି ପରେ ମିଲର ଫେରାଇଦେବାରୁ ମଣ୍ଡିରେ ଧାନ ଢାଳି କାନ୍ଦୁଛନ୍ତି ଚାଷୀ ଚୈତନ୍ୟ ମେହେର। ବିଭିନ୍ନ ମଣ୍ଡିରେ ଖୋଲା ଆକାଶ ତଳେ ବର୍ଷାରେ ଭିଜୁଛି ବସ୍ତା ବସ୍ତା ଧାନ। ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବରଗଡ଼ରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ୨୦ ତାରିଖରୁ ଧାନ କିଣା ଆରମ୍ଭରୁ ହିଁ ଲାଗିରହିଛି ସମସ୍ୟା। ଏପରି ସ୍ଥିତିରେ ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ପ୍ରଶାସନ। ବଲାଙ୍ଗୀରରେ ମଧ୍ୟ ସମାନ ଅବସ୍ଥା। ସରକାରଙ୍କୁ ଧାନ ବିକିବାକୁ ଚାଷୀ ରାତି ରାତି ଉଜାଗର ହେଉଥିବା ବେଳେ ମଣ୍ଡିରୁ ଉଠିପାରୁନି ଧାନ। ମଣ୍ଡିରୁ ମଣ୍ଡି ବୁଲିବୁଲି ମନ୍ତ୍ରୀମାନେ ସ୍ଥିତିର ତଦାରଖ କରିବା ପ୍ରତିଶୃତି ପାଣିର ଗାର ହୋଇଛି। ମଣ୍ଡିରେ ବାସ୍ତବ ଚିତ୍ର ହେଲା ଚାଷୀଙ୍କୁ ଶୋଷଣ, ଟୋକନ ଟେନସନ ଏବଂ କଟନି ଛଟନିର ଯନ୍ତ୍ରଣା।

ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବାର କିଛି ବ୍ୟବସ୍ଥା ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ସ୍ବୀକାର କରିଛନ୍ତି । ଚାଷୀ ବଢୁଥିବା ବେଳେ ଜମି କମୁଥିବାରୁ ଧାନ ସୁରକ୍ଷିତ ରଖିବାର ଦାୟିତ୍ବ ନିଜେ ଚାଷୀ ନିଅନ୍ତୁ ବୋଲି ମନ୍ତ୍ରୀ କହିବା ସହ ଧାନ ନଷ୍ଟ ହେଲେ ସରକାର ନିୟମ ମୁତାବକ କ୍ଷତିପୂରଣ ଦେବେ ବୋଲି ଆଶ୍ବାସନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ଖାଦ୍ୟ ଯୋଗାଣ ମନ୍ତ୍ରୀ ମଧ୍ୟ ମଣ୍ଡିରେ ଅବ୍ୟବସ୍ଥାକୁ ପରୋକ୍ଷରେ ସ୍ବୀକାର କରିବା ସହ ଏଫଏକ୍ୟୁ ମାନରେ କୋହଳ ହେବ ବୋଲି କହିଛନ୍ତି। ଟୋକନ ଅବଧି ସରିଗଲେ ଆଉ ୧୫ ଦିନ ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ବି କିଛି ଜାଗାରେ ମଣ୍ଡି ଖୋଲିନଥିବା ବେଳେ ଏଥିପାଇଁ ଖରାପ ପାଗକୁ ଦାୟୀ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ଏବେ ସୁଦ୍ଧା ଦେଢ ଲକ୍ଷ ଚାଷୀଙ୍କ ଠାରୁ ସାଢେ ୭ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୨୧ଶହ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି।

 

Latest Posts

Don't Miss