ବରଙ୍ଗରେ ଚାଷୀ ଆତ୍ମହତ୍ୟା ଅଭିଯୋଗ, ସଂଥପୁରାରେ ଟଳିପଡିଲେ ଚାଷୀ !

1 min read

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବରଙ୍ଗ ଗାଁରେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଚାଷୀ ଜଣକ ହେଲେ ବରଙ୍ଗ ଗାଁର ବନମାଳୀ ପେଣ୍ଠେଇ ବୋଲି ଜଣାପଡ଼ିଛି । ଲଗାଣ ଅଦିନିଆ ବର୍ଷାରେ ତାଙ୍କର ଧାନ ଫସଲ ନଷ୍ଟ ହୋଇଥିବାରୁ ସେ ଚିନ୍ତାରେ ଥିଲେ । କରଜ କରି ଧାନ ଚାଷ କରିଥିଲେ ଚାଷୀ ବନମାଳୀ ପେଣ୍ଠେଇ । ଅଦିନିଆ ବର୍ଷାରେ ତାଙ୍କର ସବୁ ନଷ୍ଟ ହୋଇଯାଇଥିବାରୁ ପରିବାର ପାଇଁ ବର୍ଷକର ଦାନା ଯୋଗାଡ଼ ଓ ଋଣ ଶୁଝିବା ନେଇ ଚିନ୍ତାରେ ଥିଲେ ବନମାଳୀ । ଫସଲ କ୍ଷୟକ୍ଷତି ଓ ଚାଷୀଙ୍କ ମୃତ୍ୟୁ ଘଟଣାରେ ରାଜସ୍ୱ ବିଭାଗ ଅଧିକାରୀଙ୍କ ତଦନ୍ତ କରିଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ସଂଥପୁରା ଗାଁରେ ଅଭାବନୀୟ ଘଟଣା । ଅଦିନିଆ ବର୍ଷାରେ ୮ ଏକର ଜମିରେ ଧାନ ଫସଲ ନଷ୍ଟ ପରେ ଜଣେ ଚାଷୀଙ୍କ ହୃଦଘାଟରେ ମୃତ୍ୟୁ ହୋଇଛି । ସନ୍ଥପୁରା ଗାଁର ମଳିକ ସାହିର ୫୫ ବର୍ଷୀୟ ଭାବଗ୍ରାହୀ ମଳିକ ଏକାଧିକ ଜମି ମlଳିକଙ୍କଠାରୁ ଜମି ନେଇ ଭାଗ ଚାଷ କରିଥିଲେ । ଚାଷ କାର୍ଯ୍ୟ ପାଇଁ ସେ ଋଣ ମଧ୍ୟ କରିଥିଲେ । ଫସଲ ଭଲ ହୋଇଥିଲା । ହେଲେ ଅଦିନିଆ ବର୍ଷାରେ  ତାଙ୍କର ଅମଳ ହେବାକୁ ଥିବା ସମସ୍ତ ଧାନ ଫସଲ ନଷ୍ଟ ହୋଇଯାଇଛି । ବର୍ଷକର ପରିଶ୍ରମ ତଥା ବର୍ଷକର ଆହାର କେଉଁଠୁ ଆସିବା ଏହା ସହିତ ଋଣ ପରିଶୋଧ କେଉଁଠୁ ହେବ, ଏହାକୁ ନେଇ ସେ ୨ଦିନ ହେବ ଚିନ୍ତାରେ ଥିଲେ ଚାଷୀ । ସେ ଆଜି ଧାନ କ୍ଷେତରେ ଉଜୁଡ଼ା ଫସଲ ଦେଖି ଭାବଗ୍ରାହୀ ଛାତିରେ ଯନ୍ତ୍ରଣା ଅନୁଭବ କରି କ୍ଷେତରେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚାଷୀଙ୍କ ମୃତ୍ୟୁକୁ ନେଇ ସନ୍ଥପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅଦିନିଆ ବର୍ଷା ଓ ଉଜୁଡ଼ା ଧାନ କ୍ଷେତ ଆଉ ମୁଣ୍ଡ ଉପରେ ଥିବା ଋଣ ଭାର ଯୋଗୁଁ ଭାବଗ୍ରାହୀ ମଳିକଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । ସରକାର ତୁରନ୍ତ ମୃତ ଭାବଗ୍ରାହୀଙ୍କ ପରିବାରକୁ ଚାଷ କ୍ଷତିପୂରଣ ଓ ତାଙ୍କର ମୃତ୍ୟୁର କ୍ଷତିପୂରଣ ଦେବାକୁ ସ୍ଥାନୀୟ ଚାଷୀ ନିବେଦନ କରିଛନ୍ତି ।