ଚାଷୀଙ୍କ ଦିଲ୍ଲୀ ଚାଲୋ ହୁଙ୍କାର, ନିଷାଧାଦେଶ ସତ୍ତ୍ବେ ବି ନିୟମ ଭାଙ୍ଗିବାକୁ ଚାଷୀଙ୍କ ଯୋଜନା
ନୂଆଦିଲ୍ଲୀ: ଶହ ଶହ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ । ଶମ୍ଭୁ ସୀମାରୁ ଚାଲିବ ଅଭିଯାନ । ଦିଲ୍ଲୀ ପୋଲିସ ପକ୍ଷରୁ ସମାଗମ, ରାଲି ଉପରେ ନିଷେଧାଦେଶ ଜାରି କରାଯାଇଥିଲେ ବି ନିୟମକୁ ଉଲ୍ଲଂଘନ କରିବାକୁ ଚାଷୀଙ୍କ ଯୋଜନା । ହରିୟାଣାର ଅମ୍ବାଲାରେ ଜନସମାଗମ ଉପରେ ଲାଗିଛି ନିଷେଧାଦେଶ । କୃଷକମାନେ ଶମ୍ଭୁ ସୀମାରୁ ପାର୍ଲାମେଣ୍ଟ ଅଭିମୁଖେ ଯାତ୍ରା କରିବେ ।
ଗତ ସୋମବାର ଉତ୍ତର ପ୍ରଦେଶର ଚାଷୀମାନେ ପାର୍ଲାମେଣ୍ଟ ଅଭିଯାନ କରିଥିଲେ । ତେବେ ସେମାନଙ୍କୁ ନୋଏଡାରେ ଅଟକ ରଖିଥିଲା ପୋଲିସ । ଏହି ଆନ୍ଦୋଳନକୁ ନେଇ ସୀମାରେ ଟ୍ରାଫିକ୍ ଜାମ୍ ହୋଇଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚା ବ୍ଯାନରରେ ଚାଷୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚାଷୀଙ୍କୁ ବିଭିନ୍ନ ଶସ୍ୟରେ ଏମଏସପି ପ୍ରଦାନ କରିବା, ଋଣ ଚାଡ଼, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ବିଦ୍ୟୁତ ଦର ବୃଦ୍ଧି ନ କରିବା, ୨୦୨୧ ଲଖିମପୁରୀ ଘଟଣାରେ ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ଆଦି ଦାବିରେ ଆନ୍ଦୋଳନ କରୁଛନ୍ତି ଚାଷୀ ।
ଗତ ଫେବ୍ରୁଆରୀ ୧୩ରୁ ଚାଷୀମାନେ ପଞ୍ଜାବ ଓ ହରିୟାଣା ସୀମା ଅନ୍ତର୍ଗତ ଶମ୍ଭୁ ଓ ଖାନାଉରିରେ କ୍ଯାମ୍ପ ପ୍ରତିଷ୍ଠା କରି ରହିଛନ୍ତି । ସୀମାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ଥିବାବେଳେ ବିଭିନ୍ନ ସ୍ଥାନରେ ବ୍ଯାରିକେଡ ଲଗାଯାଇଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଗଣତାନ୍ତ୍ରିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଥିବାରୁ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି । ଗତ ୨୦୨୪ ଫେବ୍ରୁଆରୀ ୨୧ରେ ଶୁଭକରଣ ସିଂ ନାମକ ପଞ୍ଜାବର ଜଣେ ଚାଷୀ ଖାନାଉରିରେ ପ୍ରାଣ ହରାଇଥିଲେ ।