ଆଜି ଚାଷୀ ଘୋଷଣା କରିବେ ପରବର୍ତ୍ତୀ ଆନ୍ଦୋଳନ ପନ୍ଥା

1 min read

ନନ୍ଦିଘୋଷ ବ୍ୟୁରୋ: ଦାବି ଶୁଣୁନାହାନ୍ତି କେନ୍ଦ୍ର ସରକାର । ଜିଦରେ ଅଟଳ ଅନ୍ନଦାତା ରବିବାର ଘୋଷଣା କରିବେ ପରବର୍ତ୍ତୀ ଆନ୍ଦୋଳନ ପନ୍ଥା । ଶମ୍ଭୁ ଓ ଖାନାଉରି ସୀମାରୁ ସେମାନେ ହଟିବେ ନାହିଁ ଏବଂ ଅଧିକ ଚାଷୀଙ୍କୁ ଆନ୍ଦୋଳନରେ ସାମିଲ କରିବାକୁ ଯୋଜନା ହୋଇଛି ବୋଲି ସୂଚନା ମିଳିଛି । ଦାବାଓ୍ବାଲିରେ ଚାଷୀମାନେ ବି ଧାରଣାରେ ବସିବେ । ପଞ୍ଜାବର ଭଟିଣ୍ଡାସ୍ଥିତ ବାଲୋ ଗ୍ରାମରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଶୁଭକରଣ ସିଂଙ୍କ ସ୍ମୃତିସଭା ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରାଯିବ ବୋଲି କହିଛନ୍ତି ଚାଷୀ ନେତା ମନଜିତ ସିଂ ରାୟ ଓ ଯଶବିନ୍ଦର ସିଂ ଲଙ୍ଗଓ୍ବାଲ । ଗତ ଫେବୃଆରୀ 21 ତାରିଖରେ ପଞ୍ଜାବ-ହରିଆଣା ସୀମା ଅନ୍ତର୍ଗତ ଖାନାଉରିରେ ଚାଷୀ-ପୋଲିସ ସଂଘର୍ଷରେ ଶୁଭକରଣଙ୍କ ମୃତ୍ଯୁ ଘଟିଥିବାବେଳେ 12 ପୋଲିସ ଆହତ ହୋଇଥିଲେ । ସେପଟେ ଦିଲ୍ଲୀ ଚଲୋ ସ୍ଲୋଗାନରୁ ଚାଷୀମାନେ ହଟିବେ ନାହିଁ ବୋଲି ନେତାମାନେ ସୂଚନା ଦେଇଛନ୍ତି । ଏମଏସପି ସମେତ ଅନ୍ଯାନ୍ୟ ଦାବିରେ ଚାଲିଛି କୃଷକ ଆନ୍ଦୋଳନ ।