ତେଜୁଛି ଚାଷୀ ଆନ୍ଦୋଳନ: ହରିୟାଣା ଅମ୍ବାଲାରେ ଆଜି ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ: କେବେ ଥମିବ ଚାଷୀ ଆନ୍ଦୋଳନ। ଏମଏସପି ଦାବିରେ ଦିଲ୍ଲୀ ସୀମାରେ ଲାଗି ରହିଛି ଚାଷୀଙ୍କ ସମାଗମ। ଦିଲ୍ଲୀର ସିଂଘୁ, ଶମ୍ଭୁ ଓ ଟିକିରି ବର୍ଡରରେ ଏବେବି ଧାରଣା ଦେଇଛନ୍ତି ଚାଷୀ। ପଞ୍ଜାବ ଓ ହରିୟାଣାରେ ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ଦିଲ୍ଲୀ ଚଲୋ ନାରା ଦେଇ ବଢିଚାଲିଛନ୍ତି ହଜାର ହଜାର ସଂଖ୍ଯାରେ ଚାଷୀ। ସ୍ଥିତିକୁ ନେଇ ଆଜି ହରିୟାଣାର ଅମ୍ବାଲା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପୋଲିସ। ଗତକାଲି ମଧ୍ଯ ଅମ୍ବାଲାରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ଚାଷୀ ଆନ୍ଦୋଳନ ତେଜୁଥିବାରୁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଛି ହରିୟାଣା। ଗୋଟିଏ ଥରରେ ଏକାଧିକ ଏସଏମଏସ ପଠାଇବା ଉପରେ ମଧ୍ଯ କଟକଣା ରହିଛି। ଅମ୍ଵାଲା ସଦର, ପାନଜୋଖରା ଏବଂ ନାଗାଲରେ ଇଣ୍ଟରନେଟ ସେବା ବନ୍ଦ ରହିଛି।

ପୂର୍ବରୁ ରବିବାର ଦିନ ଏହି ସବୁ ଅଞ୍ଚଳରେ ଇଣ୍ଟନେଟ ସହ ମୋବାଇଲ ସେବା ସଚଳ କରାଯାଇଥିଲା। ମୋବାଇଲ କଟକଣା ନେଇ ଅମ୍ବାଲା ଡେପୁଟି କମିଶନଙ୍କ ଅନୁରୋଧ କ୍ରମେ କଟକଣା ଲାଗୁ କରାଯାଇଛି। ଏହି ସମୟରେ ଆନ୍ଦୋଳନକାରୀ ଚାଷୀ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ସମ୍ଭାବନା ରହିଛି। ପୁର୍ବରୁ ଦିଲ୍ଲୀ ସୀମାରେ ପୋଲିସ ସହ ସଂଘର୍ଷ ଘଟି ଆନ୍ଦୋଳନକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଘୋଷଣା କରିଥିଲା। ଗତ ୨୫ ତାରିଖରେ ଟ୍ରାକ୍ଟର ମାର୍ଚ୍ଚ କରିଥିଲେ ଚାଷୀ।

ସେପେଟ ଚାଷୀ ଆନ୍ଦୋଳନ ବିବାଦର ସମାଧାନ ଲାଗି ପଞ୍ଚମ ଥର ଲାଗି ଆଲୋଚନାର ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଏସବୁ ମଧ୍ଯରେ କେନ୍ଦ୍ର ସରକାରଙ୍କ ଉପରେ ଚାଷୀଙ୍କ ସମସ୍ତ ଦାବି ମାନି ନେବାକୁ ଚାପ ପକାଇ ଚାଲିଛି ସଂଯୁକ୍ତ କିଶାନ ମୋର୍ଚ୍ଚା। ଚାଷୀଙ୍କ ଏହି ଆନ୍ଦୋଳନରେ ଦେଶର ୨୦୦ରୁ ଅଧିକ ଚାଷୀ ସଂଗଠନ ସାମିଲ ହୋଇଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜ୍ୟରେ ମଧ୍ୟ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି। ଏମଏସପି ସମେତ ବିଭିନ୍ନ ଦାବିରେ ଗତ ୧୩ ତାରିଖଠାରୁ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ ।