ମୋଦି ସରକାର ବିରୋଧରେ କେବେ କେବେ ରାସ୍ତାକୁ ଓହ୍ଲାଇଛନ୍ତି କୃଷକ ?
1 min readମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ’ ସ୍ଲୋଗନା ଦେଉଛନ୍ତି । ମୋଦି ସରକାର ୨୦୧୪ରୁ ନେଇ ଏବେ ଯାଏଁ କୃଷକଙ୍କ ଆୟ ବୃଦ୍ଧି ସହ ସଶକ୍ତ କରିଥିବା ନେଇ ଦାବି କରୁଛନ୍ତି । ଏହା ପରେ ବି ଗତ ୬ ବର୍ଷ ହେଲା ମୋଦି ସରକାରଙ୍କ ବିରୋଧରେ କୃଷକ ଅନେକ ଥର ସଡ଼କକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ଏବେ ସଂସଦରେ ପାରିତ କୃଷି ସମ୍ବନ୍ଧିତ ବିଲକୁ ବିରୋଧ କରି କୃଷକଙ୍କ ଆକ୍ରୋଶ ପ୍ରକାଶ ପାଇଛି । ଦେଶର କୃଷକ ସଂଗଠନ ଶୁକ୍ରବାର ଏହି ବିଧେୟକଙ୍କୁ ବିରୋଧ କରି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । ଆସନ୍ତୁ ଜାଣିବା ଗତ ୬ ବର୍ଷରେ କୃଷକ କେବେ କେବେ କେଉଁ ଦାବି ନେଇ ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ।
ଭୂମି ଅଧିଗ୍ରହଣକୁ ବିରୋଧ
ମୋଦି କେନ୍ଦ୍ରରେ ଶାସନଭାର ସମ୍ଭାଳିବା କ୍ଷଣି ପ୍ରଥମେ କୃଷକ ରାସ୍ତାକୁ ଓହ୍ଲାଇଥିଲେ । ୨୦୧୫ ଜାନୁଆରୀରେ ନରେନ୍ଦ୍ର ମୋଦି ସରକାରର ଭୂମି ଅଧିଗ୍ରହଣ ଆଇନ୍ ପରିବର୍ତ୍ତନ ନେଇ ଅଧ୍ୟାଦେଶ ଆଣିଥିଲେ । ଯାହାକୁ ବିରୋଧ କରି କୃଷକ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିଲେ । ମୋଦି ସରକାର ଏହି ଅଧ୍ୟାଦେଶକୁ ଲୋକସଭାରେ ପାରିତ କରିଥିଲେ । କୃଷକଙ୍କ ସ୍ୱର ଶାଣିତ ହେବାରୁ ସରକାର ପଛଘୁଞ୍ଚା ଦେଇଥିଲେ ।
ବିଜେପିର କେତକ ସହଯୋଗୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧ କରିଥିଲେ । ଶିବସେନା ତ ଏହି ପ୍ରସଙ୍ଗକୁ ନେଇ ବିଜେପି ସରକାର ବିରୋଧରେ ଆନ୍ଦୋଳନ ଶାଣିତ କରିଥିଲା । କୃଷକ ସଂଗଠନକୁ ନେଇ ଆନ୍ନା ହଜାରେ ଧାରଣାରେ ବସିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦିଙ୍କୁ କୃଷକ ବିରୋଧୀ କହିଥିଲେ । କାରଣ ୨୦୧୩ରେ ଆଇନ୍ ପରେ ଭୂମି ଅଧିଗ୍ରହଣ ପ୍ରକ୍ରିୟା ଆଗ ଅପେକ୍ଷା ଜଟିଳ ହୋଇଥିଲା ସତ କିନ୍ତୁ ଏହା କୃଷକଙ୍କ ସ୍ୱାର୍ଥରେ ଥିଲା ।
ଜନ୍ତରମନ୍ତରରେ ମାସେ ଆନ୍ଦୋଳନ
୨୦୧୭ରେ ଋଣଛାଡ଼କୁ ନେଇ ତାମିଲନାଡ଼ୁର କୃଷକ ଦିଲ୍ଲୀ ଜନ୍ତରମନ୍ତରରେ ମାସେ ଧରି ଧାରଣାରେ ବସିଥିଲେ । ଏପରିକି କୃଷକ ଅର୍ଦ୍ଧନଗ୍ନ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧି ସେତେବେଳେ ଏହି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ଏହାକୁ ସମର୍ଥନ କରିଥିଲେ ଦେଶର ଅନ୍ୟ କୃଷକ ସଂଗଠନ । ପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.ପଲାନିସ୍ୱାମୀଙ୍କ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହୋଇଥିଲା ଧାରଣା ।
ଦିଲ୍ଲୀ ଯାଏଁ କିଷାନ କ୍ରାନ୍ତି ଯାତ୍ରା
ଭାରତୀୟ କୃଷକ ୟୁନିୟନ ନେତୃତ୍ୱରେ ହଜାର ହଜାର କୃଷକ ହରିଦ୍ୱାରରୁ ଦିଲ୍ଲୀ ଯାଏଁ ‘କୃଷକ କ୍ରାନ୍ତି ଯାତ୍ରା’ ବାହାରିଥିଲା । କୃଷକ ସ୍ୱାମୀନାଥନ ରିପୋର୍ଟ ଲାଗୁ ପାଇଁ ଦାବି କରିଥିଲେ । ୨୦୧୮ ଗାନ୍ଧି ଜୟନ୍ତୀ ଅବସରରେ କୃଷକ ଗାନ୍ଧି ସମାଧି ସ୍ଥଳରେ କାର୍ଯ୍ୟକ୍ରମ କରିବାକୁ ଚାହିଁଥିଲେ । କିନ୍ତୁ, କୃଷକ ଦିଲ୍ଲୀ ପହଞ୍ଚିବା ପୂର୍ବପୁ ୟୁପି-ଦିଲ୍ଲୀ ବର୍ଡଜରରେ ଅଟକା ଯାଇଥିଲେ । ପୋଲିସ ସେମାନଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା ।
କୃଷକ ମହାସଭା
୨୦୧୮ ନଭେମ୍ବର ମାସରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ବ୍ୟାନରରେ ଦେଶର ୨୦୮ଟି ଜନସଂଗଠନ ସହ ଜଡ଼ିତ କୃଷକ ଦିଲ୍ଲୀର ରାମଲୀଳା ମୈଦାନରୁ ସଂସଦ ଯାଏଁ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ । ଏଥିରେ ରାଜନୈତିକ ଦଳ ମଧ୍ୟ କୃଷକଙ୍କୁ ସମର୍ଥନ କରିଥିଲେ । କଂଗ୍ରେସ, ଆପ୍, ବାମଦଳ ସମେତ ଅନ୍ୟ କିଛି ଦଳର ନେତା ଜନ୍ତରମନ୍ତରରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ ।
କୃଷି ବିଲ୍ ବିରୋଧରେ ଭାରତ ବନ୍ଦ
ସ୍ୱାଧୀନତା ପରେ ଭାରତର କ୍ଷେତକୁ ନେଇ ସବୁଠୁ ବଡ଼ ପରିବର୍ତ୍ତନ ହୋଇଥି । ସରକାର ତିନୋଟି କୃଷି ବିଲକୁ କୃଷିରେ ପରିବର୍ତ୍ତନରେ ବଡ଼ ପଦକ୍ଷେପ କହୁଛନ୍ତି । ଅନ୍ୟପଟେ କୃଷକ ସଂଗଠନ ଓ ବିରୋଧୀ ବିଲ୍ ବିରୋଧରେ ଅଛନ୍ତି । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଓ ସରକାର ପୂର୍ବଭଳି ଫସଲ କିଣିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି । କିନ୍ତୁ ମୋଦିଙ୍କ ଏହି କଥାକୁ ବିଶ୍ୱାସକୁ ନେଉ ନାହାଁନ୍ତି କୃଷକ । କୃଷକଙ୍କ ଲାଗୁଛି ସରକାର ମଣ୍ଡିଙ୍କୁ ଛଡ଼ାଇ ନେଇ କର୍ପୋରେଟ୍ କମ୍ପାନୀଙ୍କୁ ଦେଇଦେବେ । ଏବଂ ସରକାରଙ୍କ ଏହି ପଦକ୍ଷେପ କୃଷକ ବିରୋଧୀ ।
ଏହାକୁ ନେଇ ଦେଶବ୍ୟାପୀ କୃଷକ ସଂଗଠନ ପୁରୁଣା ମତଭେଦ ବୁଲି ଏକାଠି ହୋଇଛନ୍ତି । ଦେଇଛନ୍ତି ଭାରତ ବନ୍ଦ ଡାକରା । କୃଷକଙ୍କ ଦାବି ହେଉଛି ସରକାର ଏମଏସପିକୁ ନେଇ ନିଶ୍ଚିତ ଆଇନ୍ ଆଣନ୍ତୁ । କୃଷକଙ୍କ ଏହି ଦାବିକୁ ବିଜେପି ସହଯୋଗୀ ଦଳ ଓ ଆରଏସଏସ୍ ସହ ଜଡ଼ିତ ସଂଗଠନ ମଧ୍ୟ ସମର୍ଥନ କରୁଛନ୍ତି । ପଞ୍ଜାବ ଓ ହରିୟାଣାରେ ଏହି ବିଲକୁ ବିରୋଧ କରି ଆରମ୍ଭରୁ ବିକ୍ଷୋଭ ଜାରି ରହିଛି । NDA ସହଯୋଗୀ ଅକାଳୀ ଦଳର ସାଂସଦ ହରସିମରତ କୌର କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।