ଫେଲ୍ ମାରିଲା ସରକାରଙ୍କ ସହ ଆଲୋଚନା !

ନୂଆଦିଲ୍ଲୀ: ଫେଲ୍ ମାରିଲା ସରକାରଙ୍କ ସହ ଆଲୋଚନା, ସପ୍ତମ ଦିନରେ ଚାଲିଛି ଚାଷୀଙ୍କ ଆନ୍ଦୋଳନ । ଦିଲ୍ଲୀ ସୀମାରେ ଥଣ୍ଡା କାକରରେ ହକର ଲଢେଇ ଜାରି ରଖିଛନ୍ତି ହଜାର ହଜାର ଚାଷୀ। ଦାବିପୂରଣ ନହେଲା ଯାଏ ଚାଷୀ ପଛକୁ ହଟିବାକୁ ମନା କରିଦେଇଛନ୍ତି । ସେପଟେ ସିନ୍ଧୁ, ଟିକିରି, ଗାଜିପୁର ଏବଂ ଅନ୍ୟ ସୀମାରେ ଲଗାତର ଭାବେ ଚାଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପଞ୍ଜାବ ଓ ହରିଆଣାରୁ ଆହୁରି କୃଷକ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ।

ରାସନ, ଔଷଧ ଓ  ଅନ୍ୟାନ ଅତ୍ୟାବଶ୍ୟକ ସାମଗ୍ରୀ ଧରି କୃଷକ ମାନେ ଦିଲ୍ଲୀ ଆସୁଛନ୍ତି । ଚାଷୀଙ୍କ ଗର୍ଜନ ବଢାଇବାକୁ ପଞ୍ଜାବର ପଞ୍ଚାୟତ ମାନଙ୍କର ପ୍ରତି ପରିବାରରୁ ଜଣେ ଲେଖାଏଁ ସାମିଲ ହେବାକୁ ଅପିଲ କରାଯାଇଛି । ଚାଷୀଙ୍କ ଭିଡ ଦେଖି ସୀମାରେ ସୁରକ୍ଷା ବଢାଇଛି ଦିଲ୍ଲୀ ପୋଲିସ । ସେପଟେ ଚାଷୀଙ୍କ ସମାବେଶରେ ପଞ୍ଜାବ ଖେଳ ଜଗତର ତାରକା ମଧ୍ୟ ସାମିଲ ହୋଇଛନ୍ତି । ଚାଷୀଙ୍କ ସମର୍ଥକରେ ବାହାରିଥିବା ପଞ୍ଜାବର ଖେଳାଳି ମାନେ କହିଛନ୍ତି, ଯଦି ସରକାର ୫ ଦିନ ଭିତରେ ଚାଷୀଙ୍କ ଦାବିପୂରଣ ନକରନ୍ତି, ତେବେ ବିରୋଧ ସ୍ୱରୂପ ନିଜ ମେଡାଲ ଫେରାଇଦେବେ।

ପଞ୍ଜାବୀ ପିଲ୍ମ ଜଗତର କଳାକାର, ଲେଖକ, କଣ୍ଠଶିଳ୍ପୀ ମଧ୍ୟ ଚାଷୀଙ୍କ ସପକ୍ଷରେ ସ୍ୱର ଉଠାଇଛନ୍ତି । ଗତକାଲି ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରିନି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା କୌଣସି ପ୍ରସ୍ତାବରେ ରାଜି ହୋଇନାହାଁନ୍ତି ଚାଷୀ । ଫଳରେ ଆସନ୍ତାକାଲି ଆଉ ଥରେ ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର ।

Leave a Reply