ଗଙ୍ଗାରେ ମେଡାଲ ଭସାଇଲେନି କୁସ୍ତିଯୋଦ୍ଧା, ୫ ଦିନ ମାଗିଲେ ସମୟ

ନୂଆଦିଲ୍ଲୀ: ଗଙ୍ଗାରେ ଆଜି ମେଡାଲ ଭସାଇଲେ ନାହିଁ କୁସ୍ତି ଯୋଦ୍ଧା । ହରିଦ୍ବାରରେ ପହଞ୍ଚି ଗଙ୍ଗାରେ ମେଡାଲ ଭସାଇବାକୁ ପ୍ରସ୍ତୁତି ହେଉଥିବା ବେଳେ ଚାଷୀ ନେତା ନରେଶ ଟିକାୟତ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କଠାରୁ ମେଡାଲ ନେଇ ନିଜ ପାଖରେ ରଖିଥିଲେ । ପାଞ୍ଚ ଦିନ ମଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନରେଶ ଟିକାୟତ  । ଆସନ୍ତା ଦୁଇ ଦିନ ମଧ୍ୟରେ ଖାପ ପଞ୍ଚାୟତଙ୍କ ବୈଠକ ବସିବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ  ।

ସେପଟେ ଜନ୍ତରମନ୍ତରରେ ୧୪୪ ଧାରା ଲାଗୁ ପରେ ଇଣ୍ଡିଆ ଗେଟ ଆଗରେ ଅନଶନ କରିବାକୁ ଘୋଷଣା କରିଛନ୍ତି ରେସଲର । ବିଜେପିର ବାହୁବଳି ନେତା ତଥା ରେସଲର ସଂଘ ସଭାପତି ବ୍ରିଜଭୂଷଣ ସରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦିଲ୍ଲୀ ପୋଲିସର ଜୁଲମ ପରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି କୁସ୍ତିଯୋଦ୍ଧା । ଗତ ୨୮ ତାରିଖରେ ରେସଲରଙ୍କ ସଂସଦ ଭବନ ମାର୍ଚ୍ଚ ବେଳେ ଅନେକଙ୍କୁ ଗିରଫ କରିବା ସହ ଜନ୍ତରମନ୍ତରରେ ଧାରଣାସ୍ଥଳରୁ କୁସ୍ତିଯୋଦ୍ଧାଙ୍କ ଟେଣ୍ଟକୁ ପୋଲିସ କାଢ଼ି ନେଇଥିଲା । ଏହାପରେ ଜନ୍ତରମନ୍ତରରେ ଦିଲ୍ଲୀ ପୋଲିସ ୧୪୪ ଧାରା ଲାଗୁ କରିବା ଯୋଗୁ ରେସଲର ଇଣ୍ଡିଆ ଗେଟ ଆଗରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।