ପୁଣି ଏମଏସପି ଦାବିରେ ଆଜି କୃଷକଙ୍କ ଟ୍ରାକ୍ଟର ମାର୍ଚ୍ଚ

ନନ୍ଦିଘୋଷ ବ୍ୟୁରୋ: ଥମୁନି କୃଷକଙ୍କ ଆକ୍ରୋଶ। ଆଜି କୃଷକଙ୍କ ଟ୍ରାକ୍ଟର ମାର୍ଚ୍ଚ। ଆଜି ଟ୍ରାକ୍ଟର ରାଲିରେ ବାହାରିବେ ହଜାର ହଜାର କୃଷକ । ଏମଏସପି ଗ୍ଯାରେଣ୍ଟି ଓ କୃଷକଙ୍କ ସୁରକ୍ଷା ନେଇ ଆଜି ଟ୍ରାକ୍ଟର ରାଲିରେ ବାହାରି ଗର୍ଜିବେ ଚାଷୀ। ପଞ୍ଜାବ ବାହାରେ ଏହି ଟ୍ରାକ୍ଟର ରାଲି କରିବେ ବୋଲି କୃଷକ ସଂଗଠନ ଘୋଷଣା କରିଥିଲେ। ସେହିପରି ଆସନ୍ତା ୧୮ ତାରିଖରେ ପଞ୍ଜାବରେ ରେଳରୋକ ଆହ୍ଵାନ ଦେଇଛନ୍ତି କୃଷକ ସଂଗଠନ। ପଞ୍ଜାବର ସମସ୍ତ ଚାଷୀଙ୍କୁ ଅପିଲ କରି ଏହି ରେଳରୋକରେ ସାମିଲ ହେବାକୁ ଅପିଲ କରିଛି କୃଷକ ସଂଗଠନ।

ଏହି ଅବସରରେ ବିରୋଧୀ ଦଳ ଉପରେ ମଧ୍ୟ ବର୍ଷିଛନ୍ତି କୃଷକ ନେତା ପନ୍ଧେର। ବିରୋଧୀ କେବଳ ବୟାନବାଜି ନକରି କୃଷକଙ୍କ ସମସ୍ଯା ବିଷୟରେ ଗୁରୁତ୍ଵ ଦେବା ଦରକାର ବୋଲି କହିଛନ୍ତି କୃଷକ ନେତା। ଚାଷୀଙ୍କ ଦାବି ଉପରେ ବିରୋଧୀ ଫୋକସ କରିବା ଆବଶ୍ୟକ। ଅନ୍ୟ ପ୍ରସଙ୍ଗରେ ଯେପରି ବିରୋଧୀ ଗୃହରେ ହଙ୍ଗାମା କରୁଛନ୍ତି କୃଷକଙ୍କ ଦାବି ପ୍ରସଙ୍ଗରେ ମଧ୍ୟ ସେହିପରି ଅଚଳାବସ୍ଥା ସୃଷ୍ଟି କରିବା ଦରକାର ବୋଲି କହିଛନ୍ତି କୃଷକ ନେତା। ଗତ ଶନିବାର ଦିନ ଦିଲ୍ଲୀ ଚଲୋ ଡାକରା ଦେଇ ଅଭିଯାନ ଆରମ୍ଭ କରିଥିଲେ ୧୦୧ ଜଣ ଚାଷୀ। ତେବେ ଏହାକୁ ଅଟକାଇଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଲୁହବୁହା ଗ୍ଯାସ ମାଡ଼ରେ ୧୭ ଜଣ ଚାଷୀ ଆହତ ହୋଇଥିଲେ।ଏହାପରେ ଦିଲ୍ଲୀ ଚଲୋ ନାରାରୁ ଓହରି ଯାଇଛି କୃଷକ ସଂଗଠନ।