କେନ୍ଦ୍ରାପଡ଼ାରେ ୧୩ଟି ପ୍ୟାକ୍ସରେ ବେଧଡ଼କ ଚାଲିଛି ଚାଷୀ ଶୋଷଣ, ନିଘୋଡ଼ ନିଦ୍ରାରେ ଯୋଗାଣ ବିଭାଗ
ନନ୍ଦିଘୋଷ ବ୍ୟୁରୋ: ସରି ଆସିଲାଣି ଟାର୍ଗେଟ । ତଥାପି ମଣ୍ଡିରେ ଗଦା ହୋଇଛି ଧାନ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସୁଧୁରୁନି ମଣ୍ଡି ସମସ୍ୟା । ଦଲାଲ ଓ ପ୍ୟାକ୍ସ ସଂପାଦକଙ୍କ ମଧୁଚନ୍ଦ୍ରିକାରେ ବେଧଡ଼କ ଚାଲିଛି ଚାଷୀ ଶୋଷଣ । କିଛି ଚାଷୀ ଧାନ ଦେଇ ଆଖି ସ୍କାନ କରିବାର ୨୦ ଦିନ ବିତିଥିଲେ ସୁଦ୍ଧା ଟଙ୍କା ପାଇନାହାନ୍ତି । ଯାହାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି
ରାଜନଗର କୃଷି ସମବାୟ ସମିତିର ଚାଷୀ କୂଳମଣି ସେଠୀ । ସେ ଧାନ ବିକ୍ରି କରିବା ପାଇଁ ରାଜନଗର ପ୍ୟାକ୍ସରେ ରେଜିଷ୍ଟ୍ରେସନ କରିଥିଲେ । ତାଙ୍କୁ ଟୋକନ ବି ମିଳିଥିଲା । ମାତ୍ର ଟୋକନର ଅବଧି ସରିଯାଇଥିଲେ ସୁଦ୍ଧା ତାଙ୍କ ଧାନ ମଣ୍ଡିରେ ଗଦା ହୋଇ ରହିଛି । ବୁଲା ଗୋରୁ ଧାନ ନଷ୍ଟ କରି ଦେଉଥିବାରୁ ଧାନକୁ ଜଗି ବସୁଛନ୍ତି କୂଳମଣି । ଖାଲି କୂଳମଣି ନୁହଁନ୍ତି ଶହ ଶହ ଚାଷୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରାଜନଗର ବ୍ଲକର କୁରୁଣ୍ଟି, ଚାନ୍ଦିବାଉଁଶମୂଳ, ଡାଙ୍ଗମାଳ, ତାଳଚୁଆ, କୋଇଲିପୁର, ନୋଧାବସନ୍ତ, ଗୁପ୍ତି, ଓସ୍ତିଆ, ବାଲିସାହିପାଟଣା, ରାଜନଗର, ନାଉକନା, ଭାଟପଡା, ଡେରା ଭଳି ୧୩ଟି ପ୍ୟାକ୍ସରେ ଧାନ କିଣା ବ୍ୟବସ୍ଥିତ ହୋଇପାରୁନାହିଁ । କେଉଁଠି ଚାଷୀଙ୍କ ଟୋକନ ଅବଧି ଶେଷ ହେଲାଣି ତ କେଉଁଠି ଚାଷୀ ଧାନ ବିକ୍ରି କରି ଟଙ୍କା ପାଉନାହାନ୍ତି । ଖୋଦ ସମବାୟ ସମିତିର ସମ୍ପାଦକମାନେ ଚାଷୀଙ୍କ ବଦଳରେ ଦଲାଲମାନଙ୍କ ଧାନ କିଣି ସିଧାସଳଖ ମିଲକୁ ପଠାଉଛନ୍ତି । ଫଳରେ ଚାଷୀଙ୍କ ଧାନ ମଣ୍ଡିରେ ଦୀର୍ଘ ଦିନ ଧରି ପଡି଼ ରହୁଛି । ହେଲେ ମଣ୍ଡି ପରିଦର୍ଶନ କରୁନାହାନ୍ତି ଯୋଗାଣ ବିଭାଗର ଅଧିକାରୀ । ଏଠି ପ୍ରଶ୍ନ ଉଠୁଛି, କାହିଁକି ସରକାରଙ୍କ ନୀତି ନିୟମକୁ ଅଧିକାରୀମାନେ ପାଳନ କରୁନାହାନ୍ତି ? ଅନ୍ୟପଟେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ।

