ଚାଷୀଙ୍କ ସରକାର କହୁଥିବା ରାଜ୍ୟରେ ଚାଷୀଙ୍କୁ ଅଣଦେଖା । ସାର, ପାଣି ଓ ମଣ୍ଡି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅନ୍ନଦାତା । କୋରାପୁଟ ଜିଲ୍ଲା ଜୟପୁର କୋଲାବ ଜଳସେଚନ ବିଭାଗର ଅଧିନରେ ରହିଥିବା ପଦ୍ମପୁର ଡିଷ୍ଟ୍ରିବ୍ୟୁଟରରେ ପାଣି ପାଉ ନାହାନ୍ତି ଚାଷୀ । ବ୍ୟାପକ ସ୍ଥାନରେ କେନାଲ ଭାଙ୍ଗି ଲିକେଜ୍ ହେବାରୁ ତଳ ମୁଣ୍ଡରେ ମିଳୁନି ପାଣି । ତେଣୁ ଚଳିତ ବର୍ଷ ରବିଧାନ ଚାଷ ପାଇଁ ପାଣି ବନ୍ଦ କରାଯାଇ କେନାଲର ଉପଯୁକ୍ତ ମରାମତି କରିବାକୁ ପଦ୍ମପୁର ଡିଷ୍ଟ୍ରିବ୍ୟୁଟର ଟାଙ୍ଗୁଆ, ଡଙ୍ଗରଛିଞ୍ଚି ଏବଂ ବାଲିଆ ଗ୍ରାମପଞ୍ଚାୟତର ଚାଷୀ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ସରକାରୀ ସ୍ଥରରେ ଜଳସେଚନ ବିଭାଗ ପ୍ରତ୍ୟେକ ୩ ବର୍ଷରେ କେନାଲରେ ପାଣି ଯୋଗାଣ ବନ୍ଦ କରାଯାଇ କେନାଲ ମରାମତି କରିବା ନେଇ ନିୟମ ରହିଛି । କିନ୍ତୁ ଗତ ୨୩ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେଲା ମରାମତି କରାଯାଇ ନାହିଁ । ଫଳରେ କେନାଲ ଭାଙ୍ଗି ନଷ୍ଟହେବାରେ ଲାଗିଛି । ଅନ୍ୟ ପକ୍ଷରେ କୋଲାବ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ କହିଛନ୍ତି, ପାଣି ଛଡାଯିବ କି ନାହିଁ ଏହାର ଜିଲ୍ଲା ପ୍ରଶାସନ ସମାଧାନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଦୀର୍ଘବର୍ଷ ହେଲା କେନାଲକୁ ମରାମତି ନକରି ଚାଷୀଙ୍କୁ ଅସୁବିଧାରେ ପକାଉଛି କୋଲାବ ଜଳସେଚନ ବିଭାଗ । ଅଭିଯୋଗ ପରେ କାଁ ଭାଁ ମରାମତି କରି ଛାଡ଼ି ଦିଆଯାଉଥିବା ଅଭିଯୋଗ ହୋଇଛି ।

