ବେଙ୍ଗଲୀ ସିନେମାର ଲୋକପ୍ରିୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା: ବେଙ୍ଗଲୀ ସିନେମା ଜଗତର ସବୁଠୁ ଲୋକପ୍ରୀୟ ଅଭିନେତା ସୌମିତ୍ର ଚାଟାର୍ଜିଙ୍କର ଦେହାନ୍ତ । ସେ ଦିର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା । ଆଜି ଅପରାହ୍ନ ୧୨ଟା ୧୫ରେ ସେ ଶେଷନିଶ୍ୱାସ ତ୍ୟାଗ କଲେ ।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସୌମିତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସେ ୬ ଅକ୍ଟୋବରରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କୁ ସୁସ୍ଥ କରିବା ପାଇଁ ଅନରବରତ ପ୍ରୟାସ କରୁଥିଲେ । ୧୯୫୯ ମସିହାରେ ସୌମିତ୍ର ଅପୁର ସଂସାର ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ଓସ୍କାର ବିଜେତା ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ସହ ମଧ୍ୟ ସେ ୧୪ଟି ଫିଲ୍ମରେ କାମ କରିଛନ୍ତି । ସୌମିତ୍ର ଦାଦା ସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ । ଏଥିସହ ୩ଥର ଜାତୀୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।

Leave a Reply