୨୫ ବର୍ଷ ହେଲା ଗୋଟିଏ ପରିବାର ହାତରେ ରହିଛି ପୂରା ପଞ୍ଚାୟତ

ବ୍ରହ୍ମପୁର: ଦୀର୍ଘ ୨୫ ବର୍ଷ ହେଲା ଗୋଟିଏ ପରିବାର ହାତରେ ପଞ୍ଚାୟତ ଦାୟିତ୍ୱ । ଲୋକଙ୍କ ଭଲ ପାଇବା ଯୋଗୁଁ ଏଥର ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅପ୍ରତିଦ୍ୱନ୍ଦୀ ଭାବେ ସେହି ପରିବାର ସ୍ତ୍ରୀ ସରପଞ୍ଚ ଓ ସ୍ୱାମୀ ସମିତିସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୈଦାନ ପ୍ରସ୍ତୁତ । ଗାଁ ଗହଳି, ସବୁଠି ନାହିଁ ନଥିବା ଉତ୍ସାହ । ହେଲେ ଏସବୁ ଭିତରେ ଅଧିକ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କଞ୍ଚଣା ଗ୍ରାମ ପଞ୍ଚାୟତ । ୧୯୯୭ରୁ ଗୋଟିଏ ପରିବାର ହାତରେ ରହିଛି ଏହି ପଞ୍ଚାୟତର ଶାସନ ଡୋରୀ । ୧୯୯୭ରେ ଯୁଦ୍ଧିଷ୍ଟିର ଘୋଷ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ତା’ପରଠୁ ତାଙ୍କ ପରିବାର ସଦସ୍ୟ କିମ୍ବା ସମର୍ଥିତ ପ୍ରାର୍ଥୀ ଗାଦିରେ ବସି ଆସିଛନ୍ତି ।

୨୦୦୭ରୁ ବଡ଼ ପୁଅ ଜୟସେନ ଘୋଷ ଦୁଇଥର, ୨୦୧୭ ରେ ସାନ ପୁଅ ଚିତ୍ରସେନ ସରପଞ୍ଚ ଓ ତାଙ୍କ ଭାଉଜ ମିଲ୍ଲି ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ପୁଣିଥରେ ଚିତ୍ରସେନ ସମିତିସଭ୍ୟ ଓ ତାଙ୍କ ସ୍ତ୍ରୀ ରାଜଶ୍ରୀ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ଅପ୍ରତିଦ୍ୱନ୍ଦ୍ୱି ଭାବେ ତାଙ୍କର ବିଜୟ ସୁନିଶ୍ଚିତି । ଏହା ତାଙ୍କ ପରିବାର ପ୍ରତି ଲୋକଙ୍କ ଭଲ ପାଇବା ବୋଲି କହନ୍ତି ଚିତ୍ରସେନ ।

ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ଯୋଜନା ଏହି ପଞ୍ଚାୟତରେ ଦେଖିବାକୁ ମିଳିଛି । ଗାଁରେ ଚକାଚକ୍ ରାସ୍ତା, ବିଶୁଦ୍ଧ ପିଇବା ପାଣି, ମନ୍ଦିର , ଶିକ୍ଷା କ୍ଷେତ୍ରରେ ଉନ୍ନତି, ପୋଖରୀର ସୌନ୍ଦର୍ଯ୍ୟକରଣ ଭଳି ସମସ୍ତ ବ୍ୟବସ୍ଥା ହୋଇଛି । ଲାଞ୍ଚ ନେବା ଏକ ଅପରାଧ, ଏହା ପଞ୍ଚାୟତ ଅଫିସରେ ସ୍ପଷ୍ଟଭାବେ ଲେଖାଯାଇଛି । ଲୋକଙ୍କ ଭଲପାଇବା ଓ ଭରସା ପାଇଁ ଦୀର୍ଘ ୨୫ ବର୍ଷ ହେଲା ଘୋଷ ପରିବାର ହାତରେ ରହିଛି ଶାସନଭାର । ଅଞ୍ଚଳର ବିକାଶ ଓ ପଞ୍ଚାୟତବାସୀଙ୍କ ସେବାକୁ ପ୍ରାଥମିକତା ଦେଇ ଆସିଥିବାରୁ ୨୫ ବର୍ଷ ହେଲା ଘୋଷ ପରିବାର ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି ।

Leave a Reply