ଜୋର ଧରିଲା ବିହାର ରାଜନୀତି , ୫୦ରୁ ଅଧିକ ନେତା ନିଜ ନିଜ ସନ୍ତାନଙ୍କ ପାଇଁ ମାଗିଲେ ଟିକେଟ୍ !

1 min read

ପାଟନା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନୂଆ ଘୋଷଣା କରାଯାଉଛି । ଏକଥା ଆଉ ବୁଝିବାରେ ଅସୁବିଧା ନାହିଁ ଯେ, ନିର୍ଦ୍ଧାରିତ ସମୟରେ ହିଁ ବିହାର ନିର୍ବାଚନ ହେବ । ଭାରତୀୟ ରାଜନୀତିରେ ୟୁପି ପରେ ବିହାର ରାଜନୀତି ସର୍ବାଧିକ ଗୁରୁତ୍ୱ ରହିଛି । ତେଣୁ ଏହି ରାଜ୍ୟରେ କ୍ଷମତା ହାସଲ କରିବା ଏବଂ କ୍ଷମତା ବଜାୟ ରଖିବା ଉଭୟ ଶାସକ ଓ ବିରୋଧୀ ଗୋଷ୍ଠୀ ପାଇଁ ସମ୍ମାନର ପ୍ରଶ୍ନ ।

ଦେଶର ସାଧାରଣ ନିର୍ବାଚନ ହେଉ କି ରାଜ୍ୟର ବିଧାନସଭା ନିର୍ବାଚନ, ଦଳବଦଳ ଏକ ସାଧାରଣ କଥା ହୋଇଥାଏ । ଏହା ସବୁ ଦଳରେ ଦେଖାଦେଇଥାଏ । ସେହିପରି ଆଉ ଏକ ପ୍ରଥା ମଧ୍ୟ ସମସ୍ତ ରାଜନୈତିକ ଦଳରେ ଆଦର୍ଶଗତ ମତ ପାର୍ଥକ୍ୟ ସତ୍ତ୍ୱେ ଦେଖା ଯାଇଥାଏ । ଏହା ହେଉଛି ନିଜ ନିଜର ସନ୍ତାନମାନଙ୍କୁ ରାଜନୈତିକ ଥଇଥାନ କରିବା । ବିହାର ରାଜନୀତିକୁ ଅନୁଧ୍ୟାନ କଲେ ପ୍ରାୟ ସମସ୍ତ ନେତା ଲୋକ ନାୟକ ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନ ଏବଂ ପରବର୍ତ୍ତୀ ମଣ୍ଡଳ ଆନ୍ଦୋଳନରୁ ଆସିଥିବା ବ୍ୟକ୍ତି । ଏହି ପିଢି ପ୍ରାୟତଃ ବୟସର ଅପରାହ୍ନରେ ପହଞ୍ଚିଲେଣି । ତେଣୁ ଏହି ନିର୍ବାଚନ କେତେକଙ୍କ ପାଇଁ ଶେଷ ନିର୍ବାଚନ ହୋଇଥିବା ବେଳେ, କେତେକ ରାଜନେତା ସମୟ ପୂର୍ବରୁ ନିଜ ପୁତ୍ର, କନ୍ୟା ମାନଙ୍କୁ ଥଇଥାନ କରିବାକୁ ଚାହିଁ ବସିଛନ୍ତି ।

ଏମିତି ବି ଦେଖିବାକୁ ଗଲେ ପରିବାରବାଦର ଏକ ଗଡ଼ ବିହାର ରାଜନୀତି । ଏକଦା ବିହାରକୁ ଶାସନ କରୁଥିବା ଆରଜେଡି ମଧ୍ୟ ଦ୍ୱିତୀୟ ପିଢିର ନେତାଙ୍କ ହାତରେ । ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ ରାବ୍ରି ଦେବୀଙ୍କ ପରେ ପୁତ୍ର ତେଜସ୍ୱୀ ଓ ତେଜପ୍ରତାପ ଦଳୀୟ କାର୍ଯ୍ୟ ତଦାରଖ କରୁଛନ୍ତି । ସେହିପରି ଏଲ୍ ଜେ ପିରେ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ପୁତ୍ର ଚିରାମ ପାଶୱାନ ମଧ୍ୟ ରାଜ୍ୟ ରାଜନୀତିରେ ଅଧିକ ସକ୍ରିୟ ଜଣାପଡୁଛନ୍ତି । କେବଳ ଯାଦବ କିମ୍ବା ପାଶୱାନ ପରିବାର ନୁହେଁ । ବିହାରରେ ଚଳିତ ଥର ଟିକେଟ ଚାହୁଁଥିବା ରାଜନେତାଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏହି ସଂଖ୍ୟା କୁଆଡେ ଅର୍ଦ୍ଧ ଶତକ ଛୁଇଁବ ବୋଲି ଜଣାପଡିଛି ।

ପ୍ରାଥମିକ ସୂଚନାନୁଯାୟୀ ବର୍ତ୍ତମାନ ବିଜେପିର ନିମ୍ନଲିଖିତ ନେତାମାନେ ନିଜ ନିଜ ପୁଅ ପାଇଁ ଟିକେଟ ମାଗୁଛନ୍ତି । ଏହି ନେତାମାନେ ହେଲେ- ଅଶ୍ୱନୀ ଚୌବେ, ରାମକୃପାଳ ଯାଦବ, ଗୋପାଳ ନାରାୟଣ ସିଂ, ଶିବାନ ସିଂ, ଛେଦୀ ପାଶୱାନ ଏବଂ ରଣଜିତ ପାଶୱାନ ପ୍ରମୁଖ । ସେହିପରି ଜେଡିୟୁର ନିଜ ସନ୍ତାନ ପାଇଁ ଟିକେଟ ଚାହୁଁଥିବା ବ୍ୟକ୍ତିମାନେ ହେଉଛନ୍ତି- ଶିବାନନ୍ଦ ତିୱାରୀ, ପ୍ରଭୁନାଥ ସିଂ, କାନ୍ତି ସିଂ , ବଶିଷ୍ଠ ନାରାୟଣ ସିଂ, ରାଧାଚରଣ ସେଠ୍ ଏବଂ ନିଖିଲ ମଣ୍ଡଳ ପ୍ରମୁଖ । ଅନୁରୂପ ଭାବେ କଂଗ୍ରେସରୁ ମଦନମୋହନ ଝା ଏବଂ ସଦାନନ୍ଦ ସିଂ ଏହି ତାଲିକାରେ ରହିଛନ୍ତି ।

, ବିହାର ରାଜନୀତିରେ ଆରଜେଡି, ଜେଡିୟୁ ଏବଂ ଭାଜପାକୁ ତ୍ରିଭୁଜ ବୋଲି କୁହାଯାଇଥାଏ । ତ୍ରିଭୁଜରେ ଯେପରି ଦୁଇ କୋଣର ପରିମାଣ ଅନ୍ୟ ୨ କୋଣରୁ ଅଧିକ ହୋଇଥାଏ, ବିହାର ରାଜନୀତି ସେପରି ଫଳାଫଳ ଦେଇଥାଏ । ବିଜେପି-ଜେଡିୟୁ ମିଶି କେତେବେଳେ ସରକାର କରିଥାଆନ୍ତି, ପୁଣି କେତେବେଳେ ଜେଡିୟୁ-ଆରଜେଡି ମିଶି ସରକାର ଗଢିବାର ନଜିର ରହିଛି । ଆଉ ଏକ ଆଶ୍ଚର୍ଯ୍ୟର କଥା ଏହି କି ଯେ, ଏହି ୩ ଦଳର ରାଜ୍ୟ ସଭାପତିମାନେ ନିଜ ନିଜ ସନ୍ତାନମାନଙ୍କ ପାଇଁ ଟିକେଟ୍ ମାଗୁଛନ୍ତି ।

 

Leave a Reply