ଅଜଣା ରୋଗରେ ଆକ୍ରାନ୍ତ ୫ ବର୍ଷର ଶିଶୁ ଆୟୁଷ, କ୍ଷୀର ଓ ବିସ୍କୁଟ ଖାଇ ବଞ୍ଚିଛି ଜୀବନ

ଗଞ୍ଜାମ: ମା’ ଆଖିରୁ ଶୁଖୁନି ଲୁହ । ବାପା ବି ହତାଶ । ସ୍ୱଳ୍ପ ରୋଜଗାରରେ କିପରି କରିବେ ପୁଅର ଚିକିତ୍ସା । ଏନେକ ପୂଜା ପରେ ଜନ୍ମ ନେଇଥିଲା ପୁଅ । ହେଲେ ୫ ବର୍ଷ ହେଲା ସେ ବିଛଣାରେ । ଅଜଣା ରୋଗରେ ପୀଡିତ ପୁଅକ କେବଳ ବିସ୍କୁଟ୍, କ୍ଷୀର ପିଇ ବଞ୍ଚିଛି । ହେଲେ ମଜୁରିଆ ବାପା ନିକଟରେ ସେତକ ଯୋଗାଇ ଦେବାକୁ ବି ସମ୍ବଳ ନାହିଁ । ଚିକିତ୍ସାରେ ସବୁ ସରିଛି । ତେଣୁ ସାହାଯ୍ୟ ପାଇଁ ହାତ ପାତିଛନ୍ତି ପରିବାର । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଝାଡବନ୍ଧ ଗାଁରୁ ଦେଖିବାକୁ ମିଳିଛି ଏପରି କରୁଣ କାହାଣୀ ।

ପୁଅ ଜନ୍ମ ପରେ ମା’ ଆଖିରେ ଥିଲା ଆଖିଏ ସ୍ୱପ୍ନ । ଶ୍ରଦ୍ଧାରେ ନାଁ ରଖିଥିଲେ ଆୟୁଷ । ହେଲେ ଆୟୁଷର ଆୟୁଷ ବଢିବା ସହ ଧରିଲା ଅଜଣା ରୋଗ । ୫ ବର୍ଷ ହେଲା ନା ଚାଲି ପାରୁଛି, ନା କଥା କହି ପାରୁଛି । କ୍ଷୀର ଓ ବିସ୍କୁଟ ଖାଇ ବଞ୍ଚିଛି । ଚିକିତ୍ସା ପାଇଁ ସମ୍ପତି ସରିଛି । ଏବେ ପୁଅକୁ ଖାଦ୍ୟ ଯୋଗାଇବାକୁ ବି ସମ୍ବଳ ଅଭାବ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଝାଡବନ୍ଧ ଗାଁର କୃଷ୍ଣ ସେଠୀ ସୁରଟ ଯାଇ ମୁଲ ଲାଗି ପରିବାର ଚଳାନ୍ତି । ନିଜର ସୀମିତ ସମ୍ବଳ ଭିତରେ ପୁଅର ଆୟୁଷର ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲ ଯାଇଛନ୍ତି । ହେଲେ ଚିକିତ୍ସା ପାଇଁ ସମୟ ଲାଗିବା ସହ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି । ତେଣୁ ସାହାଯ୍ୟ ପାଇଁ ହାତ ପାତିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ ।

ଚିକିତ୍ସା ପାଇଁ ସବୁ ସମ୍ପତି ବିକ୍ରି କରିଦେଇଛନ୍ତି କୃଷ୍ଣ । ବ୍ଲହ୍ମପୁର, କଟକ, ଭୁବନେଶ୍ବର ସବୁଠି ନେଇ ଡାକ୍ତରଙ୍କୁ ଦେଖାଇଛନ୍ତି । ଏବେ ପାଖରେ ପଇସାଟିଏ ନାହିଁ । ସେପଟେ ବିଛଣା ପଡିଥିବା ପୁଅକୁ ଦେଖି ଆଖିରୁ ଲୁହ ସୁଖୁନି । ପଞ୍ଚାୟତ ସ୍ତରରେ ଆୟୁଷକୁ ସରକାରଙ୍କ ତରଫରୁ ମାସକୁ ପାଞ୍ଚ ସହ ଟଙ୍କା ଭତ୍ତା ଦିଆଯାଉଛି । ତେବେ ଅଧିକ ସହାୟତା ମିଳିଲେ ଛୁଆଟିର ଚିକିତ୍ସା ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକ ଓ ସରପଞ୍ଚ । ପିଲାଟିର ଭବିଷ୍ୟତ ପାଇଁ ସହକାରୀ ସହାୟତା ଏକମାତ୍ର ଭରସା ବୋଲି କହିଛନ୍ତି ଆୟୁଷଙ୍କ ପରିବାର ।

Leave a Reply