ଅପହରଣ ଘଟଣାର ତଦନ୍ତ ବେଳେ ଜାଲନୋଟ୍ କାରବାରର ପର୍ଦ୍ଦାଫାସ

ବାରିପଦା: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଅପହରଣ ମାମଲାର ତଦନ୍ତ ବେଳେ ଜାଲ ନୋଟ୍ କାରବାରର ପର୍ଦ୍ଦାଫାସ । ମୟୂରଭଞ୍ଜରେ ଜାଲନୋଟ ରାକେଟ ଠାବ କଲା ପୋଲିସ । ୭ ଗିରଫ, ୩ ବଣ୍ଡଲ ଜାଲନୋଟ ସହ ୩ ଗାଡି ଓ ୩ ମୋବାଇଲ ଜବତ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳର ଗଜେନ୍ଦ୍ର ବେହେରାଙ୍କୁ କିଡନାପ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ମୁଣ୍ଡ ଜାମିନ ରଖି ୩ ଲକ୍ଷ ଟଙ୍କା ଦାବି କରିଥିଲେ ଦୁର୍ବୃତ୍ତ । ଯୋଜନାବଦ୍ଧ ଭାବେ ଟଙ୍କା ନେଇ ପୁଅକୁ ମୁକୁଳାଇବାକୁ ଯାଇଥିଲେ ଗଜେନ୍ଦ୍ରଙ୍କ ବାପା । ଏହି ସମୟରେ ଅପହରକାରୀଙ୍କ ଆଡ୍ଡାରେ ଚଢାଉ କରିଥିଲା ପୋଲିସ । ସେଠାରେ ଜାଲ ନୋଟ କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । ଘଟଣାସ୍ଥଳରୁ ୩ ବଣ୍ଡଲ ନକଲି ନୋଟ ଜବତ କରାଯିବା ସହ ୭ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଗୋଟିଏ ଲେଖାଏଁ ବାଇକ୍, ବୋଲେରୋ ଓ ସ୍କୋର୍ପିଓ ସହ ୩ଟି ମୋବାଇଲ ଜବତ କରି ତଦନ୍ତ କରୁଛି ପୋଲିସ ।

ସେଠାରେ ଜାଲନୋଟ ରାକେଟ କେବେଠୁ ଚାଲିଥିଲା ? କେଉଁମାନେ ଏଥିରେ ସମ୍ପୃକ୍ତ ? କେଉଁ କେଉଁ ଜିଲ୍ଲାକୁ ଲମ୍ବିଛି  ରାକେଟର ଚେର ? ଅପହରଣ ଘଟଣା ସହିତ ଜାଲନୋଟ କାରବାରର ଲିଙ୍କ ରହିଛି କି, ପ୍ରଶ୍ନ ଉଠିବାରେ ଲାଗିଛି । ଯାହାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।