୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ୍ ଜବତ କଲା ଏସଟିଏଫ୍…

କୋରାପୁଟ: କୋରାପୁଟ୍‌ରେ ଜାଲ ନୋଟ୍ କାରବାର ହେଉଥିବା ସୂଚନା ମିଳିଛି । ସୁନାବେଢା ସିମିଳିଗୁଡା ବସ୍ ଷ୍ଟାଣ୍ଡରୁ ନକଲି ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ୩ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ଏହି ମାମଲାରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି କୋରାପୁଟ ଲେକିଗୁଡ଼ାର ଅନାମ ଖିଲ । ତେବେ ଏସଟିଏଫ୍ ନୋଟ୍ ସହ ଅନାମଙ୍କୁ ଧରିବା ପରେ  ସୁନାବେଢା ଥାନାରେ  ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛି ।

ଏବେ ଘଟଣାର ଛାନଭିନ୍ ହେବ । ସମ୍ପୂର୍ଣ୍ଣ ଚେନରେ କିଏ କିଏ ସମ୍ପୃକ୍ତ ଓ ଜାଲ ନୋଟ୍ କାରବାରର ଚେର କିଏ ରହିଛି ସେନେଇ ତଦନ୍ତ କରାଯିବ । ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା ମଧ୍ୟ କରିବାକୁ ପ୍ରୟାସ କରିବ ।

ତେବେ ଜାଲ ନୋଟ୍ କାରବାର ରାଜ୍ୟରେ ଗତ କିଛି ଦିନ ହେବ କମିଯାଇଥିବା ପୋଲିସ କହି ଆସୁଥିଲା । ମାତ୍ର ଏବେ ପୁଣି ଥରେ ଲକ୍ଷ ଲକ୍ଷ ଟଙ୍କାର ଜାଲ ନୋଟ୍ ଧରା ପଡ଼ିବା ପରେ ରାଜ୍ୟରେ ଏହି ଚେନ୍ ପୁଣି ଥରେ ସକ୍ରିୟ ହେଉଥିବା ଅନୁମାନ କରାଯାଉଛି ।

Leave a Reply