ହୀରାକୁଦକୁ ନେଇ ଅପପ୍ରଚାର, ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର
1 min readସମ୍ବଲପୁର: ହୀରାକୁଦକୁ ନେଇ ଅପପ୍ରଚାର । ମୋବାଇଲରେ ବୁଲୁଛି ଗୁଜବ କାହାଣୀ । ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ନେଇ ଲୋକେ ଛାନିଆ । ବିଶ୍ବାସ ନ କରିବାକୁ କର୍ତ୍ତୃପକ୍ଷଙ୍କ ପରାମର୍ଶ । ହୀରାକୁଦରେ ବାହାରିଛି ବିରାଟ ସାପ । ପାଣିରେ ଦେଖାଦେଲେଣି ବିରାଟାକାୟ ମାଛ । ଏହି ମାଛ ଭାଙ୍ଗି ଦେବେ ହୀରାକୁଦ । ବନ୍ଧରେ ଦେଖାଦେଲାଣି ଫାଟ । ଏମତି ଅନେକ ଗୁଜବ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏପରି ଖବରକୁ ନେଇ କିଛି ଲୋକ ବିଶ୍ବାସ କରୁଥିବାବେଳେ କିଛି ଲୋକଙ୍କ ମନରେ ଛନକା ପଶିଛି । ତେବେ ଏହା ଏକ ଗୁଜବ ଓ ଏଥିରେ ବିଶ୍ବାସ ନକରିବାକୁ କହିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ ।
ସବୁଠାରୁ ବଡ଼କଥା ହେଲା ବାରମ୍ବାର ଏଭଳି ଅପପ୍ରଚାର ହେଉଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ସାମାନ୍ୟ କିଛି ଭୁଲ ପାଇଁ କିଛି ଲୋକ ନିଜ ୟୁ-ଟ୍ୟୁଭ୍ ପ୍ଲାଟଫର୍ମରେ ଏଭଳି ମିଛ ଓ ବିଭ୍ରାନ୍ତିକର ଖବର ଭାଇରାଲ କରୁଥିବାର ଦେଖିବାକୁ ମିଳୁଛି । ତେଣୁ ଏହି ସବୁ ଗୁଜବକୁ ବିଶ୍ବାସ ନକରିବା ପାଇଁ ବନ୍ଧ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି । ହୀରାକୁଦରେ ସେମିତି କିଛି ଦୃଶ୍ୟ ନାହିଁ । ଅନ୍ୟ ଏକ ଭିଡିଓକୁ ହୀରାକୁଦ ଦର୍ଶାଇ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି । ହୀରାକୁଦ ନଦୀବନ୍ଧ ସୁରକ୍ଷିତ ରହିଛି । ତେଣୁ ଏପରି ଗୁଜବ ଉପରେ ବିଶ୍ବାସ କରି ଭୟଭୀତ ନହେବାକୁ କର୍ତ୍ତୃପକ୍ଷ ଅପିଲ କରିଛନ୍ତି ।