ଲୋକଙ୍କ ନଜର ହଟାଇବା ପାଇଁ ପ୍ରସାରଣ ହେଉଛି ମିଛ ଖବର

1 min read

ଭୁବନେଶ୍ବର: ନିଜ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗରୁ ଲୋକଙ୍କ ନଜର ହଟାଇବା ପାଇଁ ସମ୍ବାଦ ଗୁରୁବାର ପ୍ରଥମ ପୃଷ୍ଠାରେ ପୁଣି ମିଛକଥା ଲେଖିବାକୁ ପଛାଇ ନାହିଁ । ସମ୍ବାଦର ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର ସମ୍ବାଦ ବ୍ୟାଙ୍କ ସ୍କାମ ସମ୍ପର୍କରେ EOW ରେ ଅଭିଯୋଗ କରିବା ପରଠୁ ଦିନକୁ ଦିନ ଅଭିଯୋଗକାରୀଙ୍କ ସଂଖ୍ୟା ସ୍ବତଃ ବଢିବାରେ ଲାଗିଛି । ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରତିପତ୍ତିକୁ ଭୟକରି ନିର୍ଯାତାନା, ଶୋଷଣ ଏବଂ ଠକେଇ ଦୁଃଖକୁ ଛାତିତଳେ ଚାପି ରଖିଥିବା କର୍ମଚାରୀ ଏବେ ସାହସ ଯୁଟାଇ EOWରେ ପହଞ୍ଚିବାରେ ଲାଗିଛନ୍ତି । ଏହା ଦେଖିବା ପରେ ସୌମ୍ୟଙ୍କ ମନରେ ଛନକା ପଶିଛି ।

ନିଜ ମାଲିକାନାରେ ଥିବା ଖବରକାଗଜରେ ଯାହା ତାହା ଲେଖି ସାଧାରଣ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି । ସମ୍ବାଦ ବିରୋଧରେ ପ୍ରଥମ ଅଭିଯୋଗ ଆଣିଥିବା ଅସୀମ ମହାପାତ୍ରଙ୍କ ବିରୋଧରେ ମଧ୍ୟ ମିଛ ଖବର ପ୍ରସାରଣ କରିଥିଲେ ସମ୍ବାଦ ଓ କନକ । କହିଥିଲେ, ୧୬ ବର୍ଷ ତଳେ ଅସୀମଙ୍କ ନାଁରେ ସମ୍ବାଦ ଋଣ କରିଥିଲା । କିନ୍ତୁ ସତ୍ୟ ହେଲା ଅସୀମ ୨୦୨୦ ପର୍ଯ୍ୟନ୍ତ ସମ୍ବାଦରେ କାର୍ଯ୍ୟରତ ଥିଲେ । ଆଉ ୨୦୧୫ରେ ତାଙ୍କ ନାଁରେ ଋଣ ଉଠାଯାଇଥିଲା । ସମ୍ବାଦର ପୂର୍ବତନ ଯାଜପୁର ପ୍ରତିନିଧିତଥା ସମ୍ପ୍ରତି ପ୍ରମୟର ଡିଜିଏମ ଦାୟିତ୍ବରେ ଥିବା ପୂର୍ଣ୍ଣଚନ୍ଦ୍ର ଦେଓ ମଧ୍ୟ ସମ୍ବାଦ ବ୍ୟାଙ୍କ ସ୍କାମ ନେଇ EOWର ଦ୍ବାରସ୍ଥ ହୋଇଥିଲେ । ଶାସକ ଦଳର କିଛି ନେତାଙ୍କ ସହ ତାଙ୍କ ଫଟୋକୁ ଦେଖାଇ କନକ ନ୍ୟୁଜ୍ ଷ୍ଟୋରୀ କରୁଛି ଯେ, ସେ ବିଜେଡିର କର୍ମୀ ।

ଏହାଠୁ ବଳି ହାସ୍ୟସ୍ପଦ ସମ୍ବାଦ ଆଉ କ‘ଣ ହୋଇପାରେ ? ଜଣେ ସାମ୍ବାଦିକ ହିସାବରେ ବିଭିନ୍ନ ରାଜନେତାଙ୍କ ସହ ଫଟୋ ରହିବାରେ କେଉଁଠି ଅସ୍ବଭାବିକତା ରହିଲା ? ସମ୍ବାଦ ବ୍ୟାଙ୍କ ସ୍କାମ ସମ୍ପର୍କରେ ତୃତୀୟ ମାମଲା ଦାୟର କରିଛନ୍ତି ଗତ ଏପ୍ରିଲ ମାସରେ ସମ୍ବାଦରୁ ଅନ୍ତର ହୋଇଥିବା ବରିଷ୍ଠ ସାମ୍ବାଦିକ ଭୈରବ ବ୍ରହ୍ମାଙ୍କ ସମ୍ପର୍କରେ ମଧ୍ୟ କୁତ୍ସାରଟନା କରିବାକୁ ପଛାଇଲା ନାହିଁ କନକ ଏବଂ ସମ୍ବାଦ । ତାଙ୍କ ଫଟୋକୁ ନେଇ ଲେଖିଲେ ଚିହ୍ନିରଖ ଭ୍ରାତାଙ୍କ ବଦନ । ଅବସରକାଳୀନ ଏକ ଫଟୋ ଦେଖାଇ କହିଲେ ସେ ଖୁସିରେ ସମ୍ବାଦରୁ ଅବ୍ୟାହତ ନେଇଛନ୍ତି ।

ଖୁସି ପଛରେ ଯେ, କେତେ ଲୁହ ରହିଛି ତାହା ସମ୍ବାଦର ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଅଛି । ଯିଏ ସମ୍ବାଦ ବ୍ୟାଙ୍କ ସମ୍ପର୍କରେ ମୁହଁ ଖୋଲିଲା ତାକୁ ସମ୍ବାଦ ଓ କନକ ନ୍ୟୁଜ ଟାର୍ଗେଟ କରିବା ସହ କୁତ୍ସାରଟନା କରିବାକୁ ପଛଉନାହାନ୍ତି । ସମ୍ବାଦ ଏକ ପ୍ରତିଷ୍ଠିତ ଖବରକାଗଜ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ କୌଣସି ଗଣମାଧ୍ୟମ ପ୍ରସାରଣ କରିବାକୁ ସାହାସ କରୁନଥିଲେ ।

ପ୍ରଥମ ଥର ପାଇଁ ସକାଳ ଓ ନନ୍ଦିଘୋଷ ସମ୍ବାଦ ବ୍ୟାଙ୍କ ସ୍କାମ ବାବଦରେ ଖବର ପ୍ରସାରଣ କରିବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଚଳିତ ହୋଇପଡିଛନ୍ତି । ଭୋକ ବିକଳରେ ତାଟିଆ କାମୁଡିବା ଭଳି ସକାଳ ନନ୍ଦିଘୋଷ ଟିଭିକୁ ଟାର୍ଗେଟ କରିବା ସହ ମିଛ ସତ ଲେଖିବାକୁ ଓ ଦେଖାଇବାକୁ ସମ୍ବାଦ ଓ କନକ ନ୍ୟୁଜକୁ ଲଗାଇଛନ୍ତି । ଅତ୍ୟନ୍ତ ହୀନ ଘୁର୍ଣ୍ଣ୍ୟ ଖବର ପରିବେଷଣ କରିବାକୁ ଏହି ୨ ଗଣମାଧ୍ୟମ ପଛାଇନାହାନ୍ତି । ବ୍ୟକ୍ତିଗତ ସ୍ତରକୁ ଯାଇ ଖବର ପରିବେଷଣ କରିବାକୁ ଆରମ୍ଭ କରିଛନ୍ତି । ସକାଳ ଓ ନନ୍ଦିଘୋଷ ଟିଭିକୁ ପରିଚାଳନା ମୁଖ୍ୟତୁ ଟାର୍ଗେଟ କରି ଅତି ଅଶୋଭନୀୟ ଖବର ପରିବେଷଣ କରିବାରେ ଲାଗିଛନ୍ତି ।

ପରୋକ୍ଷରେ ଧମକ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ଏଭଳି ନିମ୍ନସ୍ତରର ଅରୁଚିକର ଖବରକୁ ଦର୍ଶକ ଓ ପାଠକ ନିଶ୍ଚୟ ନିନ୍ଦା କରିବେ ଏହା ନିଃସନ୍ଦେହ । ରାଜ୍ୟରେ ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ଓ ନିଜକୁ ୧ନମ୍ବର ବୋଲି ବୋଲାଉଥିବା ଏହି ସମ୍ବାଦ ସାମ୍ବାଦିକତାର ସବୁ ଲକ୍ଷ୍ମଣରେଖାକୁ ପାର କରିସାରିଛି ଏହା ଜଳ ଜଳ ଦିଶୁଛି । ନିଜ ସ୍ବାର୍ଥ ପାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓଡ଼ିଆ ସାମ୍ବାଦିକତା ବାତାବରଣକୁ କଳୁସିତ କରିସାରିଲେଣି ଏହା କହିବା ବାହୁଲ୍ୟ ।