ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରେ ବୋମା ଗୁଜବ

ଭୁବନେଶ୍ୱର: ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରେ ବୋମା ଗୁଜବ । ପାର୍ସଲ ସ୍କାନିଂ ବେଳେ ବୋମା ଥିବା ଗୁଜବ ସୃଷ୍ଟି ହେବା ପରେ ଆତଙ୍କ ଦେଖାଦେଇଥିଲା । ବିମାନବନ୍ଦରରେ ପହଞ୍ଚି ପାର୍ସଲକୁ ବମ୍ ସ୍କ୍ବାଡ ଓ ଡଗ୍ ସ୍କ୍ବାଡ ପହଞ୍ଚି ତଦାରଖ କରିଛନ୍ତି । ଏହାସହ ବିମାନବନ୍ଦର କାର୍ଗୋ ଟର୍ମିନାଲରେ ବୋମା ଖବରକୁ ଖଣ୍ଡ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ତେବେ ଏହା ଗୁଜବ ଓ ଲୋକଙ୍କୁ ଭ୍ରମିତ ନକରିବାକୁ ନିବେଦନ କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ଖବର ଅନୁସାରେ ବୁଧବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରକୁ ପାର୍ସଲରେ ଏକ ବୋମା ଆସିଥିବା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ସଜାଗ ହୋଇଯାଇଥିଲେ । ତେବେ ଯାଞ୍ଚରେ ଜଣାପଡ଼ିଛି ଯେ ବୋମା ଖବର ଏକ ଗୁଜବ ବୋଲି । ସୂଚନାଯୋଗ୍ୟ, ଆଉ କିଛି ଦିନ ପରେ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ଷା ମୁଣ୍ଡା ଷ୍ଟାଡିୟମରେ ଆୟୋଜିତ ହେବ । ବିଶ୍ୱକପକୁ ଦୃଷ୍ଟିରେ ରଖି ପୋଲିସ ବିଭାବ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିଛି । ଏହି ବୋମା ଗୁଜବ ସମସ୍ତଙ୍କୁ ବିଚଳିତ କରିଦେଇଥିଲା ।