କ୍ରାଇମବ୍ରାଞ୍ଚକୁ ସଫଳତା, ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ

1 min read

‌ସମ୍ବଲପୁର: ପୁଣି ଜାଲ ନୋଟ ରାକେଟ ଠାବ । ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍‌ ନୋଟ୍ ଜବତ । ସମ୍ବଲପୁର ଯୁଜୁମାରରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ । ଦୁଇ ଆନ୍ତଃରାଜ୍ୟ ଜାଲ ନୋଟ୍ ମାଫିଆ ଗିରଫ କରିଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ଏମାନେ ଏହି ନେଟୱାର୍କ ଚଳାଇ ଆସୁଥିଲେ । ନିକଟରେ ବରଗଡ଼ ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ୍ ଜବତ୍ ହେବା ସହ ଦୁଇ ଜଣ ଧରାପଡ଼ିଥିଲେ । କ୍ରାଇମବ୍ରାଞ୍ଚ ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଜାଲ ନୋଟ ଜବତ ହୋଇଛି । ଜାଲ ନୋଟ ଲିଙ୍କରେ ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିବା ସହ ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି । ତଥାପି ଥମୁନି ଜାଲ ନୋଟ୍ କାରବାର ।

ବରପାଲିରୁ ଧରା ପଡ଼ିଥିବା ଜାଲ ନୋଟ୍ ବେପାରୀଙ୍କ ବିହାର, ଛତିଶଗଡ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଲିଙ୍କ୍ ଥିଲା। ଓଡ଼ିଶାର ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ଅଧିକ ପରିମାଣର ଜାଲ ନୋଟ୍ କାରବାର ହେଉଛି । ତେବେ ସମ୍ବଲପୁରରୁ ଧରାପଡ଼ିଥିବା ଏହି ଜାଲ ନୋଟ୍ ରାକେଟ ସହ ନିକଟରେ ଧରାପଡ଼ିଥିବା ବରପାଲି ମାଫିଆ ଶହ କିଛି ଲିଙ୍କ୍ ଅଛି କି ? କେଉଁଠୁ ଆଣିଲେ ଏତେ ପରିମାଣର ଜାଲ ନୋଟ୍ ? କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏହି ରାକେଟ ? ଏସବୁ ଏବେ କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି ।