ପ୍ରେମ କରି ଫସିଲେ ରୋମିଓ, ବାହା ହେବାକୁ ଗଲା ବେଳେ ଜାଣିଲେ ମହିଳାଙ୍କ ବୟସ ୬୨ ବର୍ଷ

ଭୁବନେଶ୍ବର: କ୍ୟୁଟଗାର୍ଲଙ୍କୁ ପ୍ରେମ କରି ଫସିଗଲେ ରୋମିଓ । ସୁନ୍ଦରୀ ଝିଅକୁ ହୃଦୟ ଦେଇ ଧୋକା ଖାଇଲେ ଯୁବକ । ମଣ୍ଡପ ବୁକିଂ କରି ଭଣ୍ଡେଇ ଦେଲେ ୬୨ ବର୍ଷୀୟ ମହିଳା । କାନମୁଣ୍ଡା ଆଉଁସି ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକ । କଥା ହେଉ ହେଉ ପ୍ରେମ ହେଲା । ସୋସିଆଲ ମିଡିଆରେ ସମ୍ପର୍କ ବଢ଼ିଲା । ଝିଅଟି ସରକାରୀ ଚାକିରୀ କରିଥିବା କହିଲା । ପୁଅ ନାଁ ରେ ଜମିବାଡ଼ି ହୋଇଯାଇଥିବା କହିଲା । କଥା ଏତିକିରେ ସୀମିତ ରହିଲାନି । ବିଭିନ୍ନ ବାହାନା କରି ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା, ସୁନା, ଗହଣା, ଦାମୀ ଜିନିଷ, ଇମ୍ପୋର୍ଟେଡ ବ୍ୟାଗ ମଧ୍ୟ ପୁଅ ଠାରୁ ନେଇଗଲା ଝିଅ । ଝିଅ ପ୍ରେମରେ ଉବୁଟୁବୁ, ଶେଷରେ ବିବାହ ପାଇଁ ଗଲା କଥା । କଲ୍ୟାଣ ମଣ୍ଡପ ମଧ୍ୟ ଫାଇନାଲ ହେଲା । କିନ୍ତୁ ବିବାହ ଦିନ ଜଣାପଡିଲା ଯୁବତୀ ନୁହେଁ ସେ ଜଣେ ୬୦ ବର୍ଷର ମହିଳା । ପ୍ରକୃତ ପକ୍ଷେ କେମିତି ହୋଇଥିଲା ଠକେଇ ଓ କିଭଳି ଜାଲରେ ଫସିଥିଲେ ଯୁବକ ଶୁଣନ୍ତୁ ।

ପ୍ରଥମ ଥର ପାଇଁ ମହିଳାଙ୍କୁ ଦେଖି ଆଖି ଖୋସି ହେଇଗଲା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବକ ଜଣଙ୍କ । ସେପଟେ ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । କିଛି ଟଙ୍କା ଲୋଭରେ ଫେକ୍ ଆକାଉଣ୍ଟ ଖୋଲି ମହିଳା ଜଣଙ୍କ ନିଜକୁ ସୁନ୍ଦରୀ ଯୁବତୀ କହି ଯୁବକଙ୍କୁ ଫସାଇଥିବା ସ୍ଵୀକାର କରିଛନ୍ତି । କିନ୍ତୁ ବଡ଼ କଥା ହେଉଛି ଯୁବତୀ ଜଣଙ୍କୁ ନଦେଖି, କେବଳ ତାଙ୍କ କଣ୍ଠସ୍ୱର ଶୁଣି ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ଘଟଣା ରାଜଧାନୀରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ସୋସିଆଲ ମିଡିଆରେ ପ୍ରେମ କରୁଥିବା ଯୁବକ ଯୁବତୀଙ୍କୁ ହାତେ ମାପି ଚାଖଣ୍ଡେ ଚାଲିବା ପାଇଁ ଅନୁରୋଧ କରିଛନ୍ତି ଠକେଇର ଶିକାର ଯୁବକ ।

ପ୍ରେମ କରିବା ଭୁଲ ନୁହେଁ । କିନ୍ତୁ ଭୁଲ ମଣିଷକୁ ପ୍ରେମ କରି ବସିଲେ ଏଭଳି ଦଶା ଭୋଗିବାକୁ ପଡେ ବୋଲି କହିଛି ପୋଲିସ ।