ବ୍ରହ୍ମପୁରରେ ନକଲି ମଦ କାରଖାନା ଠାବ, ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ଓ ବଡ଼ବଜାର ପୋଲିସ ପକ୍ଷରୁ ବଡ଼ ରେଡ୍। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଜଗନ୍ନାଥପୁର ଜଙ୍କସନରେ ଏକ ଅଟୋକୁ ଯାଞ୍ଚ ବେଳେ ଜବତ ହୋଇଛି ବିପୁଳ ପରିମାଣର ବିଦେଶୀ ମଦ । ଯାଞ୍ଚ ବେଳେ ଅଟୋରୁ ୩୮୪ ବୋତଲ ନକଲି ବିଦେଶୀ ମଦ ଜବତ ହୋଇଛି । ସେହିପରି ଅନ୍ୟ ଏକ ସ୍ଥାନରେ ଚଢ଼ାଉ ବେଳେ ୫ ହଜାର ଲେବୁଲ, ୫ ହଜାର ଠିପି ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ । ଏହା ସହିତ ୪୦ ଲିଟର ହୋମିପାଥିକ ସ୍ପିରିଟ୍ ସହ ସମେତ ଗୋଟିଏ ଅଟୋ ଓ ଦୁଇ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଏହି ଦୁଇ ଜଣ ହେଲେ ଫାଷ୍ଟ୍ ଗେଟ୍ ଅଞ୍ଚଳର ଅକ୍ଷୟ ବେହେରା ଓ ମୁନା ସାବତ । ଏମାନଙ୍କ ବୟାନକୁ ଭିତ୍ତି କରି ବଡ଼ ବଜାର ଥାନା ପୋଲିସ ଫାଷ୍ଟ୍ ଗେଟ୍ ଓମ ନଗରର ଏକ ଘରୁ ୮୧୬ ବୋତଲ ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେହିପରି ଅନ୍ୟ ଏକ ଘରୁ ୩୦ ବସ୍ତା ନକଲି ଗୁଟଖା ଓ ଗୁଟଖା ତିଆରି ସମାଗ୍ରୀ ଓ ମେସିନ ମଧ୍ୟ ଜବତ କରିଛି ପୋଲିସ।