ସିଲ୍‌ଭର ସିଟିରେ ପୁଣି ନକଲି ଗୁଟ୍‌ଖା କାରଖାନା ଠାବ

କଟକ: ସିଲ୍‌ଭର ସିଟିରେ ପୁଣି ନକଲି କାରଖାନା ଠାବ । ଘିଅ, ତେଲ, ସୋୟା ବଡ଼ି, ଲଙ୍କାଗୁଣ୍ଡ, ହଳଦି ଗୁଣ୍ଡ, ସିମେଣ୍ଟ ଆଦି ପରେ ଏବେ ପୁଣି ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଗୁଟ୍‌ଖା କାରଖାନା ଉପରେ ଚଢ଼ଉ କରିଛି ।

ସଦର ଥାନା ସାଶୋଳରେ ଚାଲିଥିଲା ଏହି ଗୁଟ୍‌ଖା କମ୍ପାନୀ । କମିଶନରେଟ୍ ପୋଲିସ ପକ୍ଷରୁ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି । ଅପମିଶ୍ରଣ କରି କମ୍ପାନୀ ‘ଚନ୍ଦ୍ରିକା’ ନାଁରେ ଗୁଟ୍‌ଖା, ଜର୍ଦ୍ଦା ବିକ୍ରି କରୁଥିଲା । ଲକ୍ଷାଧିକ ଟଙ୍କାର ଗୁଟ୍‌ଖା, ଜର୍ଦ୍ଦା ଜବତ କରାଯାଇଛି । ଏଥିସହ ବିପୁଳ ପରିମାଣର କେମିକାଲ ମଧ୍ୟ ଜବତ ହୋଇଛି । କୋଲକାତାରୁ ଏହି କେମିକାଲ ଆଣି ରଖାଯାଇଥିବା ସୂଚନା ମିଳିଛି । ତେବେ ସେହି କଟକରେ ପୂର୍ବରୁ ମଧ୍ୟ ଏଭଳି ଅନେକ ନକଲି ଗୁଟ୍‌ଖା କାରଖାନା ଉପରେ ଚଢ଼ଉ ହୋଇଛି ।

ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱରରେ ନକଲି ସାମଗ୍ରୀର କାରଖାନା ଠାବ କରାଯାଇଥିଲା । ଏଠାରେ ଭେଜାଲ ଘିଅ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଇଥିଲା । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍‌ ଚଢାଉ କରିଥିଲା । ଚଢ଼ାଉ ସମୟରେ ବିପୁଳ ପରିମାଣରେ ଭେଜାଲ ଘିଅ ଜବତ କରିଥିଲା ପୋଲିସ । ଫୁଡ୍‌ ସେଫ୍ଟି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଛନ୍ତି । ତେବେ ଲୋଭର ଶୀକାର ହୋଇ ଅଳ୍ପ ଟଙ୍କା ଖର୍ଚ୍ଚ କରି ଅଧିକ ଟଙ୍କା ପାଇବା ଆଶାରେ ଏଭଳି ବେଆଇନ୍‌ କାମ କରୁଛନ୍ତି  କିଛି ବ୍ୟବସାୟୀ ବୋଲି କୁହଯାଉଛି ।

Leave a Reply