ନକଲିକୁ ଅସଲି କହି ୪୦ ଲକ୍ଷରେ ବିକିଲେ

ଫରିଦାବାଦ : ଅସଲି କହି ନକଲି ମୁଦ୍ରାକୁ ୪୦ ଲକ୍ଷରେ ବିକ୍ରି କଲେ ଗୋଟିଏ ପରିବାରର ୫ ସଦସ୍ୟ । ବାପା, ମାଆ ସମେତ ୩ ପୁଅ କରୁଥିଲେ ଏଭଳି ଲୁଟ୍ । ଦୀର୍ଘ ଦିନ ଧରି ଏଭଳି କାରନାମା କରୁଥିଲା ପୂରା ପରିବାର । ଏଭଳି ଲୁଟର ମୁଖ୍ୟଧାର ଥିଲେ ପନ୍ନା ଲାଲ । ଏହି ଠକେଇରେ ପନ୍ନା ଲାଲଙ୍କ ସମେତ, ତାଙ୍କ ପତ୍ନୀ ରମା, ୩ ପୁଅ ଧର୍ମେନ୍ଦ୍ର, ରାଜନ ଓ ନିତିନ୍ ମଧ୍ୟ ସାମିଲ ଥିବା କୁହାଯାଉଛି । ସମସ୍ତ ଅଭିଯୁକ୍ତ ବଲ୍ଲଭଗଡ଼ର ଉଚ୍ଚାଗ୍ରାମର ବାସିନ୍ଦା ।

ଫରିଦାବାଦର ଗ୍ରୀନ ଫିଲ୍ଡ କଲୋନୀ ବାସିନ୍ଦା ଡାକ୍ତର ନିଶାନ୍ତଙ୍କୁ ଏକ ପରିବାର ନକଲି ସ୍ୱର୍ଣ୍ଣ ମୁଦ୍ରା ଦେଇ ଠକିଥିବା କହିଛନ୍ତି । ଏନେଇ ସେ ଜୁନ୍ ୨୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଡାକ୍ତର ନିଶାନ୍ତ ଏମବିବିଏସ କରିଥିବା ବେଳେ କଲୋନୀରେ ତାଙ୍କର ଏକ କ୍ଲିନିକ୍ ମଧ୍ୟ ରହିଛି । ଫେବୃଆରୀ ୮ ତାରିଖ ଦିନ ଜଣେ ବ୍ୟକ୍ତି ସପରିବାର ସହ ଚିକିତ୍ସା ପାଇଁ ତାଙ୍କ କ୍ଲିନିକକୁ ଆସିଥିଲେ । ଚିକିତ୍ସା କରିବା ସମୟରେ ସେହି ବ୍ୟକ୍ତି ଜଣକ ଘୋର ଅସୁବିଧାରେ ଥିବା କହିଥିଲେ ଏବଂ ଏଥିପାଇଁ ତାଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ତାଙ୍କ ପାଖରେ ଅନେକ ସ୍ୱର୍ଣ୍ଣ ମୁଦ୍ରା ଥିବା ସେ କହିଥିଲେ ଓ ଏହା ପ୍ରତିବଦଳରେ ଡାକ୍ତରଙ୍କଠାରୁ ସେ ଟଙ୍କା ନେବେ । ସେ ଏହା ମଧ୍ୟ କହିଥିଲେ ଯେ ଏହି ମୁଦ୍ରାଗୁଡ଼ିକ ତାଙ୍କ ପୂର୍ବପୁରୁଷଙ୍କର ଏବଂ ଏହା ସେମାନଙ୍କୁ ତାଙ୍କ ଜମି ଖୋଳିବା ସମୟରେ ମିଳିଥିଲା । ଏଥିସହ ତାଙ୍କୁ କମ୍ ଟଙ୍କାରେ ଅଧିକ ମୁଦ୍ରା ଦେବାର ଲୋଭ ଦେଖାଇଲେ । ପ୍ରଥମେ ତାଙ୍କୁ ଅଳ୍ପ କିଛି ମୁଦ୍ରା ଦେଇଥିଲେ ଯାହାକୁ ନେଇ ଡାକ୍ତର ଜଣକ ସୁନାରୀକୁ ଦେଖାଇଥିଲେ । ଏହି ମୁଦ୍ରାଗୁଡ଼ିକ ଅସଲି ଥିବା ସେ ଜାଣିବାକୁ ପାଇଲେ । ଏଭଳି ବିଶ୍ୱାସ ଜିତିବା ପରେ ବଳକା ମୁଦ୍ରାଗୁଡ଼ିକ ନକଲି ଦେଇଥିଲେ । ପନ୍ନା ଲାଲଙ୍କୁ ଡାକ୍ତର ଏହି ମୁଦ୍ରା ପ୍ରତିବଦଳରେ ୪୦ ଲକ୍ଷ ଟଙ୍କା ଦେଇଥିଲେ । ଦ୍ୱିତୀୟ ଥର ଦେଇଥିବା ସମସ୍ତ ମୁଦ୍ରା ନକଲି ଥିବା ସେ ପରେ ଜାଣିବାକୁ ପାଇଲେ ।