ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ, ରଣପୁରରୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ପୋଲିସ୍ କବ୍ଜାରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର । ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ ପୋଲିସ । ନକଲି ଡାକ୍ତର ରମେଶ ଗିରଫ ହେବା ପରଠାରୁ ଫେରାର ଥିଲା ତାଙ୍କ ଡ୍ରାଇଭର ଚିତ୍ତରଞ୍ଜନ । ଗିରଫ ପରେ ଚିତ୍ତରଞ୍ଜନକୁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି ପୋଲିସ । ରମେଶର ଠକେଇ ସିଣ୍ଡିକେଟରେ ଡ୍ରାଇଭର ଥିଲା ମୁଖ୍ୟ ସହଯୋଗୀ ।

ସୂଚନା ଅନୁସାରେ, ନକଲି ଡାକ୍ତରର ପରିଚୟ ଦେଇ ୧୮ ଜଣ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ଆଦି ବିଭିନ୍ନ ସ୍ଥାନରେ ବିବାହ କରିଥିଲେ ରମେଶ । ରମେଶଙ୍କର ଏହି ଠକେଇର ଶିକାର ହୋଇଥିଲେ ମହିଳା ଡାକ୍ତର, ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଉଚ୍ଚଶିକ୍ଷିତା ମହିଳା । କେବଳ ବିବାହ କରି ନୁହେଁ ଚାକିରି କରାଇଦେବା ନାଁରେ ମଧ୍ୟ ବହୁ ଲୋକଙ୍କୁ ଠକିଛନ୍ତି ରମେଶ । ତେବେ ଏହି ମାମଲାରେ ବୁଧବାର ମହାଠକ ରମେଶଙ୍କର ରାଜ୍ୟ ଫରେନସିକ ଲାବୋରେଟାରୀରେ ପଲିଗ୍ରାଫ୍‌ ଟେଷ୍ଟ ହୋଇଥିଲା । ପଲିଗ୍ରାଫ ଟେଷ୍ଟରେ ୬ ଘଣ୍ଟାରେ ୭୦ ପ୍ରଶ୍ନ ପଚରାଉଯାଇଥିଲା । ପୋଲିସକୁ ତଦନ୍ତ ବେଳେ ମିଛି କହୁଥିବା ଲାଗି ପୋଲିସ ଏପରି ପଲିଗ୍ରାଫ ଟେଷ୍ଟ କରିଛି । ତେବେ ଏହି ଟେଷ୍ଟରେ ରମେଶ କେତେ ସତ କହିଛନ୍ତି । ତାହା ରିପୋର୍ଟ ଆସିବା ପରେ ଜଣାପଡିବ ।