ରାଜଧାନୀରୁ ନକଲି ଡାକ୍ତର ଗିରଫ, ହଜାର ହଜାର ଟଙ୍କାର ଔଷଧ ଜବତ

ଭୁବନେଶ୍ୱର : ରାଜଧାନୀରୁ ନକଲି ଡାକ୍ତର ଗିରଫ । ବହୁ ପରିମାଣର ଔଷଧ ଜବତ । ଏସିଡିଟିରୁ ଆରମ୍ଭ କରି କ୍ୟାନ୍ସର, ଓଜନ କମାଇବା ଠାରୁ ନେଇ ସୁନ୍ଦର ଦେଖାଯିବା ପର୍ଯ୍ୟନ୍ତ ସବୁକିଛି ଗୋଟିଏ ଚୁଟକିରେ ସମାଧାନ କରି ଦେଉଥିଲେ ଏହି ନକଲି ଡାକ୍ତର  । କିଛି ମହିଳାଙ୍କୁ ଲକ୍ଷାଧିକ ଟଙ୍କାର ଔଷଧ ବିକି ହୋଇଥିଲା ମାଲାମାଲ  । ଏ ସବୁ ଖାଇବା ପରେ କିନ୍ତୁ ଦେହ ସାରା ଫଳି ଯାଇଥିଲା । ଏପରି କାହିଁକି ହେଉଛି ତାହା ପଚାରିବା ପାଇଁ  ତାଙ୍କୁ ଫୋନ କରିଥିଲେ କିନ୍ତୁ ସେ ଫୋନ ଉଠାଇ ନଥିଲେ  ।

ରାଜଧାନୀରେ ବାଇକ ଆମ୍ବୁଲାନ୍ସରେ ବୁଲି ବୁଲି ଲୋକଙ୍କୁ ମେଡିସିନ ଦେଉଥିଲା ଏହି ଅଭିଯୁକ୍ତ  ।  ବର୍ତ୍ତମାନ ଅଭିଯୁକ୍ତ ଅଜୟ କୁମାର କାଣ୍ଡିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ତା’ ନିକଟରୁ ହଜାର ହଜାର ଟଙ୍କାର ଔଷଧ ଜବତ କରାଯାଇଛି । ଅଭିଯୁକ୍ତ ଜଣଙ୍କ ଭିଡିଓ କଲ ଜରିଆରେ ଔଷଧ ଦେଉଥିଲେ । ତାଙ୍କ ଠାରୁ ଗୋଟିଏ ଗାଡି ମଧ୍ୟ ଜବତ କରାଯାଇଛି ।