ଭଦ୍ରକରୁ ଭୁବନେଶ୍ୱର ଲମ୍ୱିଛି ଜାଲ୍ ସାର୍ଟିଫିକେଟ୍ ଚେର: ବିଜେବି କଲେଜରୁ ଧରାପଡ଼ିଲେଣି ନକଲି ଭିନ୍ନକ୍ଷମ

ଭୁବନେଶ୍ୱର: ଭଦ୍ରକରୁ ଆରମ୍ଭ ହୋଇଥିବା ଜାଲ ସାର୍ଟିଫିକେଟର ଚେର ଭୁବନେଶ୍ୱରକୁ ଲମ୍ବିଛି । ଜାଲ ପ୍ରମାଣପତ୍ର ଜରିଆରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ସିଟ ହେତେଇବାରେ ସକ୍ଷମ ହେଉଛନ୍ତି ସାଧାରଣ ବର୍ଗର ପିଲାଏ । ଭଦ୍ରକରୁ ୨୮ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ପରେ ଏବେ ବିଜେବି କଲେଜରୁ ଚିହ୍ନଟ ହୋଇଛନ୍ତି ୮ଜଣ ଛାତ୍ରଛାତ୍ରୀ । ରାଜ୍ୟରେ ସକ୍ରିୟ ଜାଲ ସାର୍ଟିଫିକେଟ ରାକେଟକୁ ଠାବ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଛି ।

ଭଦ୍ରକ ପରେ ରାଜଧାନୀରେ ଜାଲ୍ ସାର୍ଟିଫିକେଟ୍ । ଭିନ୍ନକ୍ଷମଙ୍କ ସ୍ଥାନ ନେଇଛନ୍ତି ସାଧାରଣ ଛାତ୍ରଛାତ୍ରୀ । ବିଜେବି କଲେଜରୁ ଚିହ୍ନଟ ହେଲେ ୮ ଛାତ୍ରଛାତ୍ରୀ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ଶତକଡ଼ା ୩ପ୍ରତିଶତ ସିଟ୍ ସଂରକ୍ଷିତ ରହିଛି । ତେବେ ଜାଲ ସାର୍ଟିଫିକେଟ ଜରିଆରେ ଭିନ୍ନକ୍ଷମଙ୍କ ସ୍ଥାନରେ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସିଟ ହାତଉଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏଥିପାଇଁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବିଗତ ୩ବର୍ଷର ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ବେଳେ ବିଜେବି କଲେଜରୁ ୮ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଥିବା ଜଣାପଡିଛନ୍ତି । ଚିହ୍ନଟ ୮ନକଲି ଭିନ୍ନକ୍ଷମଙ୍କ ମଧ୍ୟରୁ ୫ଜଣ ଛାତ୍ରୀ ଓ ୩ଜଣ ଛାତ୍ର ଥିବାବେଳେ ୪ ଜଣ କଟକ ଓ ଅନ୍ୟ ୪ଜଣ ଭଦ୍ରକ ବୋଲି ଜଣାପଡ଼ିଛି । ଏହାକୁ ନେଇ ବିଜେବି କଲେଜ ଅଧ୍ୟକ୍ଷ ବଡଗଡ ଥାନାରେ ଏତଲା ଦେଇଛନ୍ତି । ପୋଲିସ କଲେଜରୁ ସମସ୍ତ ସାର୍ଟିଫିକେଟକୁ ଜବତ କରିଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ପୂର୍ବରୁ ଭଦ୍ରକ ମହାବିଦ୍ୟାଳୟରେ ୨୮ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ବିଜେବି କଲେଜରୁ ୮ଜଣ ପୁଣି ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହା ଦ୍ୱାରା ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଭିନ୍ନକ୍ଷମ । କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ଜାଲ ପ୍ରମାଣପତ୍ର ଜରିଆରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପ୍ରକୃତ ଭିନ୍ନକ୍ଷମ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛି ରାଜ୍ୟ ଭିନ୍ନକ୍ଷମ ସଂଘ । ରାକେଟର ପର୍ଦ୍ଦାଫାସ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବୀ କରିଛି ।