ନକଲି ଦେଶ, ନେତାଙ୍କ ସହ ନକଲି ଫଟୋ, ୪ ଦେଶର ନକଲି ଦୂତାବାସ: ଜାଣନ୍ତୁ ଏକ ମହାଠକର କାହାଣୀ….

ଆପଣମାନେ ବିଭିନ୍ନ ନକଲି ସାମଗ୍ରୀ ବିଷୟରେ ଶୁଣିଥିବେ । କେବେ ନକଲି ଦୂତାବାସ, ଦେଶ ବିଷୟରେ ଶୁଣିଛନ୍ତି କି ? ଉତ୍ତରପ୍ରଦେଶର ଗାଜିଆବାଦର କବିନଗରରେ ଏକ ଆଲୀଶାନ କୋଠାରେ ୪ଟି ଦେଶର ଦୂତାବାସ ଚାଲିଥିଲା । ଏହି ଦୂତାବାସ ସବୁ ନକଲି ଥିଲା । ହର୍ଷବର୍ଦ୍ଧନ ଜୈନ ନାମକ ଜଣେ ଯୁବକ ଏହାକୁ ଭଡ଼ାଘରେ ଚଲାଉଥିଲେ । ବେକାରୀଙ୍କୁ ବିଦେଶ ପଠାଇବା ନାମରେ ଲୁଟ୍ କରିବା ତା’ର ମୁଖ୍ୟ କାମ ଥିଲା । ସେ ଲୋକଙ୍କୁ ବିଭିନ୍ନ ନେତାଙ୍କ ସହ ଏପରି ନକଲି ଫଟୋ ଦେଖାଉଥିଲା ଯେ, ସମସ୍ତେ ତାକୁ ବିଶ୍ବାସ କରୁଥିଲେ । ଏବେ ପୋଲିସ ହର୍ଷବର୍ଦ୍ଧନକୁ ଗିରଫ କରିଥିବା ବେଳେ ତା’ ନିକଟରୁ ବହୁ ଅବିଶ୍ବସନୀୟ ଗୁମର ଖୋଲୁଛି ।
ହର୍ଷବର୍ଦ୍ଧନର କୋଠା ବାହାରେ ଲଗଜରୀ କାର ଠିଆ ହେଉଥିଲା । ଏହିସବୁ ଗାଡ଼ିରେ ନକଲି ଡିପ୍ଲୋମାଟିକ୍ ନମ୍ବର ପ୍ଲେଟ ଲାଗିଥିଲା । ସେ ୪ଟି ଦେଶର ଦୂତାବାସ ଖୋଲିଥିଲା । ପୋଲିସ ରେଡ୍ ସମୟରେ ଲକ୍ଷାଧିକ କ୍ୟାସ, ବିଦେଶୀ ମୁଦ୍ରା, ନକଲି ପାସପୋର୍ଟ ଓ ନକଲି ଷ୍ଟାମ୍ପ ପରି ଅବୈଧ ସାମଗ୍ରୀ ଜବତ କରିଥିଲା । ତା’ର ନକଲି ଅଫିସ ଭିତରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ହର୍ଷବର୍ଦ୍ଧନର ନକଲି ଫଟୋ ରହିଥିଲା । ଏହାଫଳରେ ସେ ଏକ ବଡ଼ ଅଧିକାରୀ ବୋଲି ଲୋକେ ବିଶ୍ବାସ କରିନେଉଥିଲେ । ସେ ୪ଟି ଦେଶର ଆମ୍ବାସଡର ବୋଲି ନିଜକୁ କହୁଥିଲା । ତା’ ପାଖରୁ ୧୨ଟି ଡିପ୍ଲୋମାଟିକ ପାସପୋର୍ଟ, ୪ଟି ଲଗଜରୀ କାର, ୨ଟି ନକଲି ପ୍ୟାନ କାର୍ଡ, ୨ଟି ନକଲି ପ୍ରେସ କାର୍ଡ, ୪୪ ଲକ୍ଷ ଟଙ୍କା, ଅନେକ ଦେଶର ମୁଦ୍ରା, ୧୮ଟି ଡିପ୍ଲୋମାଟିକ ନମ୍ବର ପ୍ଲେଟ ଓ ଅନେକ କମ୍ପାନୀର ଡକ୍ୟୁମେଣ୍ଟ ଜବତ କରିଥିଲା ପୋଲିସ । ହର୍ଷବର୍ଦ୍ଧନ କୋଠାରେ ୪ଟି ଦେଶର ନକଲି ପତାକା ଲାଗିଥିଲା । ସେ ଦେଶରେ ଓ ବିଦେଶରେ ଏକ ବଡ଼ ରାକେଟ ଚଲାଉଥିଲା ।