ଆଜିଠୁ ୪ ଦିନିଆ ରିମାଣ୍ଡରେ ଯିବ ଭଣ୍ଡ ତାନ୍ତ୍ରିକ କୈଫ ଖାନ

କଟକ: ଖୋଲିବ ଭଣ୍ଡ ତାନ୍ତ୍ରିକ କୈଫ ଖାନର କଳା ଦୁନିଆର ରହସ୍ୟ । ଆଜିଠୁ ୪ ଦିନିଆ ରିମାଣ୍ଡରେ ନେଇ ସତ ଉଗାରିବ କଟକ ପୋଲିସ୍। କେବେଠାରୁ ଲୋକଙ୍କୁ ଠକୁଥିଲା ? କେଉଁଠି ଲଗାଇଛି ଲୋକଙ୍କୁ ଠକିଥିବା କୋଟି କୋଟି ଟଙ୍କା ? କୈଫ୍ ପାଖରେ କେମିତି ପହଞ୍ଚୁଥିଲେ ଗ୍ରାହକ ? ଘରେ ମନ୍ତ୍ରତନ୍ତ୍ର ବେଳେ କାହିଁକି ଅନ୍ଧାର କରିବାକୁ କହୁଥିଲା କୈଫ ? ଲୋକଙ୍କୁ ମନ୍ତରା ପାଣି ଦେଇ ସମ୍ମୋହିତ କରୁଥିଲା କି ?

ଦୁବାଇ, ସିଙ୍ଗାପୁର ନାଁରେ ସ୍ଥାନୀୟ ମାର୍କେଟରୁ କିଣୁଥିଲା କି ଧାତୁ ଓ ମୂର୍ତ୍ତୀ ? କେବେଠାରୁ ରହିଛି ଗ୍ୟାଙ୍ଗଷ୍ଟାର ଲିଙ୍କ ? କେବଳ ରାଜ୍ୟ ଭିତରେ ନାଁ ବାହାର ରାଜ୍ୟରେ ବି ଠକିଛି ? ପୂଜାପାଠ, ମନ୍ତ୍ରତନ୍ତ ନାଁ ରହିଥିଲା କିଛି  ଅନ୍ୟ ଉଦ୍ଦେଶ୍ୟ ? ଏମିତି କିଛି ପ୍ରଶ୍ନର ଉତ୍ତର ପାଇଁ ଚିଠା ପ୍ରସ୍ତୁତ କରିଛି ପୋଲିସ୍ । ରିମାଣ୍ଡ ସମୟରେ ପୋଲିସ କୈଫର ବାସଭବନ, ଠକିଥିବା ଲୋକଙ୍କ ଘରକୁ ନେଇ ତଦନ୍ତ କରିବାର ସମ୍ଭାବନା ରହିଛି।

ଏହାସହ ତାକୁ ସହଯୋଗ କରୁଥିବା ମଧ୍ୟସ୍ଥଙ୍କ ସଂପର୍କରେ ଅଧିକ ମଧ୍ୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ପୋଲିସ। ଗତକାଲି ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଅଦାଲତରେ ମଙ୍ଗଳାବାଗ ପୋଲିସ ୫ ଦିନ ରିମାଣ୍ଡ ଆବେଦନ କରିଥିଲା । କୈଫ ବିରୋଧରେ ଥିବା ୩ଟି ମାମଲା,  କେସ୍ ନମ୍ବର 114,115 ଓ 117/2023 ଉପରେ ରିମାଣ୍ଡ ଆବେଦନ କରିଥିଲା ପୋଲିସ। ଅଦାଲତ ଏହାକୁ ବିଚାର କରି ୪ ଦିନ ରିମାଣ୍ଡ ମଞ୍ଜୁର କରିଥିଲେ।