ବିଭ୍ରାନ୍ତିକର ଅଡ଼ିଓ ଭାଇରାଲ ମାମଲା: ଗିରଫ ହେଲେ ଦୁଇ ଜଣ

ଭୁବନେଶ୍ୱର: ନିର୍ଦ୍ଦିଷ୍ଟ ଏକ ଘରୋଇ ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ କରୋନା ସମ୍ପର୍କରେ ବିଭ୍ରାନ୍ତିକର ଖବର ପରିବେଷଣ ମାମଲାରେ ପୋଲିସ୍ ଆଜି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ସଂପୃକ୍ତ ଚ୍ୟାନେଲର ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ବିବାଦୀୟ ଅଡିଓ ଗିରଫ ହୋଇଥିବା ଏହି ଦୁଇଜଣ ପ୍ରସ୍ତୁତ କରିଥିଲେ ବୋଲି ସୂଚନା ମିଳିଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଅରଟେଲ କମ୍ୟୁନିକେସନସର କର୍ମଚାରୀ ଅଛନ୍ତି । ଗିରଫ ଅରଟେଲ କର୍ମଚାରୀ ହେଲେ ଲକ୍ଷ୍ମୀକାନ୍ତ ବେହେରା ଏବଂ ଅନ୍ୟଜଣେ ହେଲେ ତାଙ୍କର ବନ୍ଧୁ ବିଶ୍ୱଜିତ୍ ମହାନ୍ତି। ଉଭୟେ ପୋଲିସ ନିକଟେର ବିସ୍ଫୋରକ ବୟାନ ଦେଇଛିନ୍ତି । ତାଙ୍କ ଅଜାଣତରେ ଅଡିଓ ରେକର୍ଡ ହୋଇଥିବା କହିଛନ୍ତି ବିଶ୍ୱଜିତ୍ । ତେବେ ଅଡିଓକୁ ଲକ୍ଷ୍ମୀକାନ୍ତ ରେକର୍ଡ କରିଥିଲେ । ଦୁଇଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ସୂଚନାଯୋଗ୍ୟ ଯେ, କରୋନା ଚିକିତ୍ସା ସମ୍ପର୍କରେ ବିବାଦୀୟ ଅଡିଓ ପ୍ରସ୍ତୁତ କରି ଅରଟେଲ କର୍ମଚାରୀ ଭାଇରାଲ କରିଥିଲେ । ଏହି ଅଡିଓକୁ ସଂପୃକ୍ତ ଚ୍ୟାନେଲ୍ ତା’ ଡିଜିଟାଲ ପ୍ଲାଟଫର୍ମରେ ପୋଷ୍ଟ କରିଥିଲା । ଅରଟେଲ କମ୍ୟୁନିକେସନସ ସଂପୃକ୍ତ ଚ୍ୟାନେଲର ଏକ ସଂସ୍ଥା ବୋଲି ମଧ୍ୟ ଜଣାପଡିଛି । ଫଳରେ ଅଡିଓଟି ପ୍ରସ୍ତୁତ କରିବା ପଛରେ ସଂପୃକ୍ତ ଚ୍ୟାନେଲର ହାତ ଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, କୋଭିଡ ମହାମାରୀ ସମୟରେ କରୋନା ସମ୍ପର୍କିତ କୌଣସି ବିଭ୍ରାନ୍ତିକର କଥା ସାମାଜିକ ଗଣମାଧ୍ୟମ ବା ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ ଉପରେ କଟକଣା ରହିଛି । ଏହି ଆଇନକୁ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ତେବେ ସଂପୃକ୍ତ ଚ୍ୟାନେଲ ଏହି ଆଇନକୁ ଅଣଦେଖା କରି ଏହି ବିବାଦୀୟ ଅଡିଓ ନିଜର ଡିଜିଟାଲ ପ୍ଲାଟଫର୍ମରେ ପୋଷ୍ଟ କରିଥିଲା । ବିଏମସି ଏନେଇ ସଂପୃକ୍ତ ଚ୍ୟାନେଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା । ଚ୍ୟାନେଲର କର୍ମକର୍ତ୍ତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲା ଅନୁସାରେ ଚ୍ୟାନେଲର ବାର୍ତ୍ତା ସମ୍ପାଦକ ଓ ଆଉ ଦୁଇଜଣ ସମ୍ପାଦକୀୟ ବିଭାଗର କର୍ମଚାରୀଙ୍କୁ କ୍ୟାପିଟାଲ ଥାନାରେ ହାଜର ହେବାପାଇଁ ନୋଟିସ୍ ଦିଆଯାଇଥିଲା ।

ତେବେ ସମ୍ପାଦକୀୟ ବିଭାଗର କେହି ଥାନାରେ ହାଜର ହୋଇ ନଥିଲେ । ବରଂ ଜଣେ ଲୋକସମ୍ପର୍କ ଅଧିକାରୀ ଥାନାରେ ପହଞ୍ଚି ପକ୍ଷ ରଖିବା ପାଇଁ ୭ ଦିନର ମହଲତ ମାଗିଥିଲେ । ତେବେ କମିଶନରେଟ ପୋଲିସ୍ ଏହି ମହଲତ ଆବେଦନକୁ ଖାରଜ କରି ପୁଣି ଗତକାଲି ଥାନାରେ ହାଜର ହେବାପାଇଁ ନୋଟିସ୍ ଦେଇଥିଲେ । ଗତକାଲି ମଧ୍ୟ କର୍ମକର୍ତ୍ତାମାନେ ଥାନାରେ ହାଜର ହୋଇନଥିଲେ । ଫଳରେ ପୋଲିସ୍ ସେମାନଙ୍କୁ ପୁଣି ସମନ ଜାରି କରିଥିବା ଜଣାପଡିଛି । ଅପରପକ୍ଷରେ ଗତକାଲି ରାତିରେ ବିବାଦୀୟ ଅଡିଓ ପ୍ରସ୍ତୁତ କରିଥିବା ଦୁଇଜଣଙ୍କୁ ପୋଲିସ୍ ଠାବ କରିବା ସହ ପଚରାଉଚରା କରିଥିଲା । ସତ୍ୟାସତ୍ୟ ଜଣାପଡିବା ପରେ ଆଜି ସେମାନଙ୍କୁ ଗିରଫ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସବୁଠାରୁ ବଡ ପ୍ରସଙ୍ଗ ହେଉଛି, ଅଡିଓ ପ୍ରସ୍ତୁତକରି ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ଯେହେତୁ ଅରଟେଲ କମ୍ୟୁନିକେସନର କର୍ମଚାରୀ ଏବଂ ସଂପୃକ୍ତ ଚ୍ୟାନେଲ ଅରଟେଲ କମ୍ୟୁନିକେସନର ସିଷ୍ଟର କନସନ୍ ବା ଆଉଏକ ସଂସ୍ଥା, ତେଣୁ ଅଡିଓ ପ୍ରସ୍ତୁତି ପଛରେ ବଡ ଷଡଯନ୍ତ୍ର ରହିଥିବା ପୋଲିସ୍ ଆକଳନ କରୁଛି ।

ତେବେ ଏହା ଜଦି ସତ ହୋଇଥାଏ, ତାହାହେଲେ ସାଂଘାତିକ ହେବ ସ୍ଥିତି । ଅରଟେଲ କମ୍ୟୁନିକେସନର କର୍ମଚାରୀ ଗିରଫ ହେବାପରେ ସଂପୃକ୍ତ ଚ୍ୟାନେଲ ପାଇଁ ଅଡୁଆ ଆହୁରି ବଢିଥିବା କୁହାଯାଉଛି । ଯେହେତୁ ସମନ ଜାରି କରାଯାଇଛି, ତେଣୁ ସଂସ୍ଥାର କର୍ମକର୍ତ୍ତାମାନେ ଆଜି ପୋଲିସ ନିକଟରେ ହାଜର ହୋଇପାରନ୍ତି । ବିଏମସି ପକ୍ଷରୁ ନୋଟିସ୍ ଜାରି ହେବା ପରଠୁ ସଂପୃକ୍ତ ଚ୍ୟାନେଲ ପକ୍ଷରୁ ଚତୁର୍ଥ ସ୍ତମ୍ଭର କଣ୍ଠରୋଧ ବୋଲି ବାରମ୍ବାର ଖବର ପ୍ରସାରଣ କରାଯାଇଛି । ବିଭିନ୍ନ ରାଜନେତା ଓ ସାମ୍ବାଦିକଙ୍କୁ ଢାଲ କରି ଚାପ ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି ରହିଛି । ଆଜି ଦୁଇଜଣ ଅଡିଓ ପ୍ରସ୍ତୁତକାରୀ ଗିରଫ ହେବାପରେ ଚ୍ୟାନେଲ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ।

Leave a Reply