ଅପରାଧ ନୁହେଁ ଘରଭଡ଼ା ନ ଦେବା, ଭଡ଼ାଟିଆଙ୍କୁ ଦିଆଯାଇ ପାରିବନି ସଜ୍ଜା: ସୁପ୍ରିମକୋର୍ଟ

Failure To Pay Rent Is Not A Penal Offence Supreme Court

ନୂଆଦିଲ୍ଲୀ: ଭଡ଼ାଟିଆଙ୍କ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ମଙ୍ଗଳବାର ଘରଭଡ଼ା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି, ଯଦି କେହି କୌଣସି କାରଣରୁ ଘରଭଡ଼ା ଦେଇପାରେ ନାହିଁ ତ ତାହା କୌଣସି ଅପରାଧ ନୁହେଁ । ଏଭଳି ଟିପ୍ପଣୀ କରି ଜଣେ ଘର ମାଲିକଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ମାମଲା ଶୁଣାଣି କରି ଜଷ୍ଟିସ୍ ସଞ୍ଜିବ ଖାନ୍ନା ଓ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦଙ୍କ ଖଣ୍ଡପୀଠ କହିଛନ୍ତି, ଯଦି ଭଡ଼ାଟିଆ କୌଣସି ଅସୁବିଧା ପାଇଁ ବାକି ଥିବା ଘରଭଡ଼ା ଦେଇନପାରେ ତ ତାହା କୌଣସି ଅପରାଧ ନୁହେଁ । ଅଭିଯୋଗକାରୀଙ୍କ ସବୁ ତଥ୍ୟ ଠିକ୍ ଥିଲେ ବି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରିବ । କିନ୍ତୁ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ପାରିବ ନାହିଁ ।

Failure To Pay Rent Is Not A Penal Offence: Supreme Court

ଏ ସମ୍ପର୍କିତ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ମାମଲାରେ ଧାରା ୪୧୫ (ଠକେଇ) ଓ ଧାରା ୪୦୩ (ସମ୍ପତ୍ତିର ବେଆଇନ୍ ଦୂରୁପଯୋଗ) ଅନୁସାରେ ଅପରାଧ ସାବ୍ୟସ୍ତ କରିବା ଲାଗି ଜରୁରୀ ଜିନିଷ ନାହିଁ । କୋର୍ଟ ମାମଲା ସହିତ ଜଡ଼ିତ ଏଫଆଇଆରକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି । ଏହା ପୂର୍ବରୁ ଏହି ମାମଲା ଆହ୍ଲାବାଦ ହାଇକୋର୍ଟରେ ଥିଲା । କିନ୍ତୁ କୋର୍ଟ ନିବେଦନକାରୀଙ୍କ ବିପକ୍ଷରେ ଥିବା ଏତଲାକୁ ରଦ୍ଦ କରିବାକୁ ମନା କରି ଦେଇଥିଲେ ।

ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ଯଦି ଭଡ଼ାଟିଆ ସମ୍ପତ୍ତି (ଘର) ଖାଲି କରି ଦେଇଛନ୍ତି ତ ଏହି ମାମଲା ସିଭିଲ ରେମେଡିଜ୍ ଅନୁସାରେ ତୁଟି ପାରିବ । ଏଥିପାଇଁ କୋର୍ଟ ଅନୁମତି ଦେଉଛନ୍ତି ।