ପଦାରେ ପଡିଲା ମୋହନ ସରକାରର ବିଫଳତା, ବାଟବଣା ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ଭୁବନେଶ୍ବର: ଓଡ଼ିଶାରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକାରିତା ନୁହେଁ ସନ୍ତୋଷଜନକ । ଏପ୍ରିଲରୁ ସେପ୍ଟେମ୍ବର ଯାଏଁ ନରେଗା ଶ୍ରମିକ ତାଲିକାରୁ ୧୦ ଲକ୍ଷ ଶ୍ରମିକଙ୍କ ନାଁ କଟିଛି । ବିଗତ ବର୍ଷ ତୁଳନାରେ ଏଥର ପ୍ରାୟ ୪୮ ପ୍ରତିଶତ କମ୍ କାମ ମିଳିଛି ନରେଗା ଯୋଜନାରେ । ବିନା ଭିତ୍ତିଭୂମିରେ କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ରାଜ୍ୟରେ ଆଧାର ଲିଙ୍କ ଆକାଉଣ୍ଟରେ ଶ୍ରମିକ ମଜୁରୀ ପୈଠ ବ୍ୟବସ୍ଥା ଯୋଗୁଁ ଲକ୍ଷ ଲକ୍ଷ ଶ୍ରମିକ ପାଉଣା ପାଇବା ପୁର୍ବରୁ ବଞ୍ଚିତ ହୋଇଛନ୍ତି । ପୂର୍ବ ସରକାର ତୁଳନାରେ ଏଥର ସରକାର ନରେଗାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

ମୋହନ ସରକାରର ଆଉ ଏକ ବିଫଳତା।  ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ଏମଜିଏନଆରଇଜିଏସର ନୈରାଶ୍ୟଜନକ ପ୍ରଦର୍ଶନ । ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ୬ ମାସ ମଧ୍ୟରେ କମିଛି କାମ । କଟିଛି ଲକ୍ଷାଧିକ ଶ୍ରମିକଙ୍କ ନାମ । ସରକାରୀ ତଥ୍ୟକୁ ଭିତ୍ତି କରି ହୋଇଛି ଅନୁଶୀଳନ । ୬ ମାସରେ ଓଡିଶାରେ ମୋଟ  ୮ ଲକ୍ଷ ୭୬ ହଜାର ଶ୍ରମିକଙ୍କ ନାମ ତାଲିକାରୁ ହଟାଯାଇଛି । ଯାହାକି ଆଧାର ଭିତ୍ତିକ ପେମେଣ୍ଟ୍ ସିଷ୍ଟମ (ଏବିପିଏସ୍)ର ଅନୁପାଳନ ଉପରେ ବଢୁଥିବା ଚିନ୍ତାକୁ ଦର୍ଶାଉଛି । ପ୍ରଶାସନିକ ତ୍ରୁଟି ଯୋଗୁଁ ଅନେକ ପ୍ରକୃତ ଶ୍ରମିକଙ୍କୁ ବାଦ ଦିଆଯାଇଛି । କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ରାଜ୍ୟ ସରକାର ଆଧାର ସଂଯୋଗ ବ୍ୟାଙ୍କ ଆକାଉଣ୍ଟରେ ମଜୁରୀ ଦେବାକୁ ସ୍ଥିର କରିଥିବା ବେଳେ ବ୍ୟାଙ୍କିଙ୍ଗ ସେବା ଓ ଇଣ୍ଟରନେଟ ଅଭାବ ଯୋଗୁଁ ପ୍ରକୃତ ଶ୍ରମିକ ମଜୁରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଓଡିଶାର ପ୍ରାୟ ୬.୭% ଶ୍ରମିକ ଏବିପିଏସ୍ ପାଇଁ ଅଯୋଗ୍ୟ, ଯାହାକି ଠିକ୍ ସମୟରେ ମଜୁରୀ ପ୍ରଦାନରେ ବାଧା ସୃଷ୍ଟି କରିଛି । ନୟାଗଡରେ ୧୦.୭% ଓ ବଲାଙ୍ଗୀରରେ ୬.୨% ଅଯୋଗ୍ୟତା ହାର ଅଧିକ ।

ରାଜ୍ୟରେ କାମ ପାଇଁ ଅଧିକ ଚାହିଦା ଥିବା ସତ୍ତ୍ଵେ ୨୦୨୩ ତୁଳନାରେ ୨୦୨୪ରେ ରୋଜଗାର ସୃଷ୍ଟିରେ ୪୮.୪ % ହ୍ରାସ ହୋଇଛି । ପରିଚାଳନା ଅକ୍ଷମତା ଓ ଯୋଗ୍ୟ ଶ୍ରମିକଙ୍କ ଉଚ୍ଛେଦ ଯୋଗୁଁ ଏପରି ହୋଇଛି । ସବୁ ଜିଲ୍ଲାରେ ନିଯୁକ୍ତି ସୃଷ୍ଟି ହ୍ରାସ ପାଇଥିବା ବେଳେ ସର୍ବାଧିକ ଜଗତସିଂହପୁରରେ ୮୨ % ଓ ସର୍ବନିମ୍ନ ଗଞ୍ଜାମରେ ୭୯ % ଶ୍ରମ ଦିବସ ହ୍ରାସ ପାଇଛି । ୨୦୨୨ରେ ୧୦.୪ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ୨୦୨୩ରେ ଏହା ୧୧.୩ କୋଟିରେ ପହଞ୍ଚିଥିବା ବେଳେ ୨୦୨୪ରେ ଏହା ୫.୮ କୋଟି ଶ୍ରମ ଦିବସକୁ ହ୍ରାସ ପାଇଛି । ଭୁଲ ଭାବରେ ହଟା ଯାଇଥିବା ଶ୍ରମିକମାନଙ୍କୁ ପୁନଃ ଯୋଡିବା, ସଠିକ ପ୍ରାପ୍ୟ ସୁନିଶ୍ଚିତ କରିବା, ପ୍ରଶାସନ ଦ୍ବାରା ଭୁଲ ଭାବରେ ହଟା ଯାଇଥିବା ଶ୍ରମିକ ସମସ୍ୟାର ତୁରନ୍ତ ସମାଧାନ କରିବା ନିହାତି ଜରୁରୀ ବୋଲି ରିପୋର୍ଟରେ ସୁପାରିଶ କରାଯାଇଛି । ଏବିପିଏସ୍ କାର୍ଯ୍ୟକାରିତାକୁ ବଢାଇବା ସହ ତ୍ରୁଟିର ସମାଧାନ କରି ପ୍ରକ୍ରିୟାକୁ ସରଳ କରିବା ପାଇଁ ଦାବି ହୋଇଛି ।

ରାଜ୍ୟରେ ବିଜେପି ସରକାର ଆସିବା ପରେ ଏମଜିଏନଆରଇଜିଏସ ଦେଖାଦେଇଛି ବ୍ଯାପକ ତ୍ରୁଟି। ରୋଜଗାର ସୃଷ୍ଟି ହ୍ରାସ ସହ ଦେଖାଦେଇଛି ଜିଲ୍ଲାସ୍ତରରେ ଅସମାନତା ।