ଫେଲ୍ ମାରିଲା ଫିଲ୍ମ ଷ୍ଟାଇଲ ଅପହରଣ ଉଦ୍ୟମ

ଭୁବନେଶ୍ବର: ଫିଲ୍ମ ଷ୍ଟାଇଲରେ ଅପହରଣ ଉଦ୍ୟମ। କିନ୍ତୁ ସବୁ ସୋକୁ ଫ୍ଲପ କରିଦେଲା ପୋଲିସ । କମିଶନରେଟ ପୋଲିସର ବଡ଼ଗଡ଼ ଥାନାକୁ ମିଳିଛି ବଡ଼ ସଫଳତା । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏଭଳି ଘଟଣା । ଭୁବନେଶ୍ବର ରବି ଟକିଜ ଛକ ନିକଟରେ ଏକ ପିକ ଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା । ଯାହାକୁ କେନ୍ଦ୍ର କରି ଡିଜେ ଗାଡିର ୭ରୁ ୮ ସଦସ୍ୟ ରାସ୍ତା ଉପରେ ପିକ ଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ। ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇ ନେଇଥିଲେ । ଏ ସମ୍ପର୍କରେ ବଡ଼ଗଡ଼ ଥାନା ଆଇଆଇସି ଖବର ପାଇବା ପରେ ତୁରନ୍ତ ଦୁଇଟି ଭ୍ୟାନ ପଠାଇଥିଲେ। ଶିଶୁପାଳଗଡ଼ ନିକଟରୁ ଗୋଟିଏ ଡିଜେ ଗାଡିକୁ ପୋଲିସ ଜବତ କରିବା ସହ ଗ୍ୟାରେଜ ଛକ ନିକଟରୁ ପିକ ଅପ ଭ୍ୟାନ୍ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।