ଚୌକି ଚକ୍କରରେ ଫସିଗଲେ କି ଦେବେନ୍ଦ୍ର ଫଡନବିସ ?

1 min read

ମହାରାଷ୍ଟ୍ର ରାଜନୀତିରେ ଶନିବାର ସକାଳ ହୋଇଥିବା ଭୂକମ୍ପ ପରେ ଧିରେ ଧିରେ ଚିତ୍ର ସ୍ପଷ୍ଟ ହେଉଛି । ସକାଳର ଭୂକମ୍ପ ସମ୍ପର୍କରେ ସୁରାକ୍‌ ପାଇନଥିବା ରାଜନେତାମାନେ ଆଖି ମଳି ଉଠିବା ବେଳକୁ ସବୁ ଓଲଟପାଲଟ ହୋଇଯାଇଥିଲା । ଆଖିରୁ ନିଦ ଛାଡ଼ିବା ପରେ ପ୍ରକୃତିସ୍ଥ ହୋଇ କ୍ଷତିଗ୍ରସ୍ତ ଭିତ୍ତିଭୂମି ସଜାଡ଼ିବାକୁ ଲାଗିଗଲେ । ମାତ୍ର ୧୨ ଘଣ୍ଟା ମଧ୍ୟରେ ରାତ୍ରିର ଅନ୍ଧକାର ମଧ୍ୟରେ ଯେଉଁମାନେ ଭୂକମ୍ପ ସୃଷ୍ଟି କରିଥିଲେ ସେମାନେ ଏବେ ନିଜ ସ୍ଥିତିକୁ ମଧ୍ୟ ଅଣ୍ଡାଳୁଛନ୍ତି । ଭୂକମ୍ପରେ ଅନ୍ୟର ନୁହେଁ ସେମାନଙ୍କର ମଧ୍ୟ କିଛି କ୍ଷତି ହୋଇଥିବା ଆକଳନ କରାଯାଉଛି ।

ମେଣ୍ଟରୁ ଶିବସେନା ଓହରିଯିବା ପରେ ବିଜେପି ପାଇଁ ପୁଣି କ୍ଷମତା ହାସଲ ପଥ କଣ୍ଟକିତ ହୋଇଯାଇଥିଲା । ଶିବସେନାକୁ ଛାଡ଼ିଦେଲା ପରେ ଏନସିପିକୁ ନେଇ ସରକାର ଗଠନ ପାଇଁ ଉଦ୍ୟମ କରି ସଫଳ ହୋଇପାରିନଥିଲା ବିଜେପି । ଏଭଳି ସ୍ଥିତିରେ ଘୋଡ଼ାବେପାର ଥିଲା ଏକ ଗଳି ବାଟ । ମାତ୍ର ଶିବସେନା, ଏନ୍‌ସିପି ଓ କଂଗ୍ରେସ ଦଳ ନିଜ ବିଧାୟକଙ୍କ ଉପରେ କଡ଼ା ନଜର ରଖିବା ପରେ ତାହା ମଧ୍ୟ ସମ୍ଭବ ହୋଇପାରିନଥିଲା । ଅଗତ୍ୟା ରାଷ୍ଟ୍ରପତି ଶାସନ ହିଁ ଦଳ ପାଇଁ ଥିଲା ସବୁଠୁ ବଡ଼ ଆଶ୍ୱାସନା । ତା’ ଭିତରେ ବି ଗଳାବାଟ ଦେଇ ଶାସନ ଗାଦିକୁ ଫେରିବାର ଉଦ୍ୟମରୁ ବିରତ ହୋଇନଥିଲା ଦଳ । କେଉଁଠି ବିରୋଧୀଙ୍କ ଦୁର୍ବଳତା ରହିଛି ତାହାର ତଲାସରେ ଥିଲା । ସେଥିପାଇଁ ଘନ ଘନ ସମୀକ୍ଷା ବୈଠକ ଚାଲିଥିଲା । ଦଳର ପ୍ରାୟ ସବୁ କର୍ମକର୍ତ୍ତା ସୁଯ଼ୋଗ ସନ୍ଧାନରେ ଥିଲେ । ଠିକ୍‌ ଏହି ସମୟରେ ବିଜେପି ପାଇଁ ଆଶାର ଆଲୋକ ନେଇ ଆସିଥିଲେ ଏନ୍‌ସିପି ନେତା ଅଜିତ ପାଓ୍ୱାର ।

ଶିବସେନା-ଏନସିପି-କଂଗ୍ରେସ ମଧ୍ୟରେ କ୍ଷମତା ବଣ୍ଟନ ବ୍ୟବସ୍ଥା ଆପାତତଃ ସ୍ଥିର ହୋଇସାରିଥିବା ବେଳେ ଅଜିତ୍‌ ପାଓ୍ୱର ଭିଲିଆନ ହୋଇଯାଇଥିଲେ । ଏନ୍‌ସିପି ବିଧାୟକଙ୍କ ସ୍ୱାକ୍ଷରିତ ଲେଟର ପ୍ୟାଡ ଥିଲା ତାଙ୍କ ପାଖରେ । ତାହାକୁ ନେଇ ସେ ଦେବେନ୍ଦ୍ର ଫଡ଼ନବିସଙ୍କ ପାଖକୁ ଯାଇଥିଲେ । ଏଥିରେ ତାଙ୍କୁ ସହଯ଼ୋଗ କରିଥିଲେ ଆଉ ଜଣେ ଏନସିପି ବିଧାୟକ ଧନଞ୍ଜୟ ମୁଣ୍ଡେ । ଶିବସେନା-ଏନ୍‌ସିପି-କଂଗ୍ରେସର ଖେଳ ଯେଉଁଠି ସରିଥିଲା, ସେଇଠୁ ଆରମ୍ଭ ହୋଇଥିଲା ବିଜେପିର ଖେଳ । ଅଜିତ ପାଓ୍ୱାରଙ୍କ  ଚିଠି ଓ ସମର୍ଥନ ଫଡ଼ନବିସଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ହେବାର ଲୋଭ ଦେଖାଇ ଦେଇଥିଲା । କାଳବିଳମ୍ବ ନକରି ସେ କେନ୍ଦ୍ର ନେତୃତ୍ବକୁ ଜଣାଇ ଦେଇଥିଲେ । ରାତି ପାହିଲେ ରାଜା ହେବାର ସ୍ୱପ୍ନ ନେଇ ବିରୋଧୀ ମେଣ୍ଟ ନିଶ୍ଚିତରେ ନିଦ୍ରା ଯାଇଥିବା ବେଳେ ବିଜେପି ନେତୃତ୍ୱ ଉଜାଗର ରହି ଖେଳ ଆରମ୍ଭ କରିଥିଲେ । ରାଜଭବନ-କେନ୍ଦ୍ର ନେତୃତ୍ୱ- ରାଷ୍ଟ୍ରପତି ଭବନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ରାତି ପାହିବା ବେଳକୁ ସବୁ ଓଲଟପାଲଟ ହୋଇଯାଇଥିଲା । ସମ୍ବିଧାନ ଆଖିରେ ଆଙ୍ଗୁଠି ଗେଞ୍ଜି ମୁଖ୍ୟମନ୍ତ୍ରୀଭାବେ ଦେବେନ୍ଦ୍ର ଫଡ଼ନବିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାଓ୍ୱାର ଶପଥ ନେଇସାରିଥିଲେ ।


ସକାଳୁ ସକାଳୁ ଏକ କଡ଼ା ଚା’ ବଦଳରେ ନୂଆ ସରକାରର ମୁହଁ ଦେଖି ବିଚଳିତ ହୋଇପଡ଼ିଥିଲେ ଶିବସେନା-ଏନ୍‌ସିପି-କଂଗ୍ରେସର ନେତା । ସେମାନେ ନିଜ ଆଖି କାନକୁ ବିଶ୍ୱାସକୁ ନେଇପାରୁନଥିଲେ । ସମସ୍ତଙ୍କ ନଜର ରହିଥିଲା ମରାଠା ମାଟିର ପାଓ୍ୱାରଫୁଲ ନେତା ଶରଦ ପାଓ୍ୱରଙ୍କ ଉପରେ । ଶରଦ ପାଓ୍ୱାର ରାତାରାତି କି ଗେମ୍‌ ଖେଳିଦେଲେ କି ବୋଲି ମେଣ୍ଟ ସହଯ଼ୋଗୀଙ୍କ ସନ୍ଦେହ ଜନ୍ମନେଲା । ଯେତେବେଳେ ଶରଦ ପାଓ୍ୱର ନିଜେ ଏ ବିଷୟରେ କିଛି ଜାଣି ନାହାନ୍ତି କହିଲେ ତାପରେ ଖେଳର ଗତି ବଦଳିବା ଆରମ୍ଭ କଲା । ବିଧାୟକମାନେ ତାଙ୍କୁ ଛାଡ଼ି ଚାଲିଯିବା ପୂର୍ବରୁ ଶରଦ ପାଓ୍ୱାର ମଇଦାନକୁ ଓହ୍ଲାଇଲେ । ସବୁ ବିଧାୟକଙ୍କୁ ନିଜେ ଫୋନ୍‌ କରି ଡାକିଲେ । କେବଳ ସେତିକି ନୁହେଁ ପୁତୁରା ଅଜିତ ପାଓ୍ୱାରଙ୍କୁ ଏନସିପି ବିଧାୟକ ଦଳ ନେତା ପଦରୁ ହଟାଇବା ସହ ରାଜ୍ୟପାଳଙ୍କୁ ନୂଆ ତାଲିକା ଦେଲେ । କେବଳ ସେତିକି ନୁହେଁ ଶରଦ ଅଭିଯ଼ୋଗ କଲେ ଯେ, ଅଜିତ୍‌ ଚଞ୍ଚକତା କରି ବିଧାୟକଙ୍କ ସ୍ୱାକ୍ଷରିତ ପତ୍ରକୁ ବିଜେପିକୁ ଦେଇଛନ୍ତି । ସିନିଅର ପାଓ୍ୱାରଙ୍କ ପାଖରେ ଜୁନିଅର ପାଓ୍ୱାର ଫିକା ପଡ଼ିଗଲେ । ଶରଦଙ୍କ ଏହି ମନ୍ତବ୍ୟ ଓ ଗୋଟି ଚାଳନା ପରେ ବିଜେପି ମୁଣ୍ଡରେ ଚିନ୍ତା ପଶିଲା । ଅଜିତଙ୍କ ତାଲିକାରେ ଫଡ଼ନବିସ ଫସିଯାଇଥିବା ଆଲୋଚନା ଚାଲିଛି ।
ମହାରାଷ୍ଟ୍ର ମାମଲା ସୁପ୍ରିମକୋର୍ଟ ଯାଇଛି । ବିଜେପି ଯେଉଁ ଚଉକି ଝାମ୍ପି ନେଇଛି ତାକୁ ପୁଣି ଫେରି ପାଇବାକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ତାଙ୍କ ଚାଣକ୍ୟ ସଂଜୟ ରାଉତ ଦିନରାତି ଲାଗିପଡ଼ିଛନ୍ତି । ସେପଟେ ବହୁମତ ହାସଲ ପାଇଁ ପାଇଁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ରାଜନୀତିରେ କିଛି ବି ଚିର ସ୍ଥାୟୀ ନୁହେଁ । ମୁଖ୍ୟମନ୍ତ୍ରୀ ପଦ ପ୍ରକୃତରେ କାହାକୁ ମିଳୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।

– ବିନୋଦିନୀ ରାଉଳ

Leave a Reply