ଅଜଗର ବୃଦ୍ଧଙ୍କୁ ଗିଳିବା ଚର୍ଚ୍ଚାର ଅବସାନ କେବେ? ଖବରକୁ ଅଗ୍ରାହ୍ୟ କରିଛନ୍ତି ବିଶେଷଜ୍ଞ

କଟକ: ବାଙ୍କୀ ଡମପଡ଼ା ଅଭୟାରଣ୍ୟରେ ଅଜଗର ବୃଦ୍ଧଙ୍କୁ ଗିଳିବା ଚର୍ଚ୍ଚାର ଅବସାନ କେବେ ? ସତରେ କ’ଣ ବୃଦ୍ଧଙ୍କୁ ଅଜଗର ଗିଳି ଦେଇଛି ? ଖବରକୁ ବିଶେଷଜ୍ଞ ଅଗ୍ରାହ୍ୟ କରିଛନ୍ତି । ସ୍ନେକ୍ ହେଲପଲାଇନ ସଦସ୍ୟ ଗ୍ରାଉଣ୍ଡ ଜିରୋରେ ସତ ପରଖିଛନ୍ତି । ବୃଦ୍ଧଙ୍କୁ ସାପ ଗିଳିଦେବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦିଓ ସାପ ମଣିଷକୁ ଗିଳିବା ବା ଧରିବା କେହି ଦେଖି ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ଏଇ ଖବରର ସତ୍ୟାସତ୍ୟ ପରୀକ୍ଷା ନକରି ଜୋରସୋରରେ ପ୍ରଚାର କରିଥିବା ସ୍ନେକ୍ ହେଲ୍ପଲାଇନ କହିଛି ।

ଭାଇରାଲ ଭିଡିଓରେ ଅଜଗର କିଛି ଗୋଟିଏ ବଡ଼ ଜନ୍ତୁ ଗିଳି ଦେଇ ଗଛ ମୂଳରେ ପଡିଥିବା ଦେଖାଯାଉଛି। ସେଇ ଭିଡିଓରେ ସାଧାରଣ ଜନତା ଉଭୟ ସପକ୍ଷରେ ଏବଂ ବିପକ୍ଷରେ ମତାମତ ଦେଉଛନ୍ତି। ଖବରଟିର ସତ୍ୟାସତ୍ୟ ପରୀକ୍ଷା ପାଇଁ ଆଜି ସ୍ନେକ ହେଲ୍ପ ଲାଇନର ପାଞ୍ଚ ଜଣିଆ ଟିମ୍‌ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ । ସୂଚନା ଅନୁସାରେ, ଗତ ୨୯ ତାରିଖରେ ବେଙ୍ଗପାଣି ଘାଟି ନିକଟ ମୁଖ୍ୟ ରାସ୍ତାରୁ ଏକ ମୋପେଡ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା । ପାଖରେ ପଡ଼ିଥିଲା ଲୁଗା ଓ ଚପଲ। କିନ୍ତୁ ପୋଲିସର ଛାନବିନ ପରେ କୌଣସି ବ୍ୟକ୍ତିଙ୍କ ପତ୍ତା ମିଳିନଥିଲା । ପରେ ଥୋରିଆ ପାଟଣା ଗାଁର ବୃଦ୍ଧ ନନ୍ଦ କିଶୋର ବେହେରା ନିଖୋଜ ଥିବା ଖବର ଆସିଥିଲା । ନନ୍ଦକିଶୋରଙ୍କୁ ଲୋକ ଖୋଜାଖୋଜି କରିବା ବେଳେ ଏକ ବଡ ଅଜଗର କିଛି ବଡ଼ଜନ୍ତୁ ଖାଇଥିବା ଦେଖବାକୁ ପାଇଥିଲେ । ସେଇଦିନଠାରୁ ଅଜଗରର ଭିଡିଓ ଭାଇରାଲ ହେବାରେ ଲାଗିଛି।

ସ୍ନେକ୍ ହେଲ୍ପଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ କହିବା କଥା, ବେଙ୍ଗପାଣି ଘାଟିରେ କିଛି ବଡ଼ ଜନ୍ତୁ ଅଜଗର ଗିଳିବା ପରେ ଘାଟିରୁ ଓହ୍ଲାଇ ପୁଣି ଦେଉଳିଆ ମୁଣ୍ଡିଆ ଚଢିବା ଅସମ୍ଭବ । ୧୦ରୁ ୧୨ ଫୁଟିଆ ଅଜଗର ହୁଏତ ଏକ ସାଢେ ୫ ଫୁଟରୁ ଅଧିକ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କୁ ମାରି ଦେବାରେ ସକ୍ଷମ ହେଇପାରେ, ମାତ୍ର ଗିଳି ପାରିବ ନାହିଁ । କେବଳ ଓଡ଼ିଶା ନୁହେଁ, ଭାରତ ବା ଅନ୍ୟ କେଉଁଠି ଭାରତୀୟ ଅଜଗର ମଣିଷକୁ ଗିଲିଥିବାର ନଜିର ନାହିଁ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।