ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନାର ଅବଧି ୫ ବର୍ଷ ବୃଦ୍ଧି

1 min read

ଭୁବନେଶ୍ୱର : କେନାଲ ପ୍ରଣାଳୀର ଦକ୍ଷତାକୁ ସୁଦୃଢ଼ କରିବା ସହ ଟେଲ୍‌ ଆଣ୍ଡ କମାଣ୍ଡ ଅଞ୍ଚଳରେ ଜଳ ଉପଲବ୍ଧତାକୁ ଓ ଯୋଗାଣକୁ ବଢ଼ାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନିଜସ୍ୱ ଯୋଜନା ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନାକୁ ଆହୁରି ୫ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଚଳିତ ଆର୍ଥିକବର୍ଷ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ କେବଳ ରାଜ୍ୟ ପାଣ୍ଠିରୁ ୨ ହଜାର ୩୨ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଜଳସେଚନ ପ୍ରଣାଳୀର କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରିବା ଏବଂ କେନାଲଗୁଡ଼ିକର ଜଳ ବ୍ୟବହାର ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ  । ଏଥି ସହ ଜଳ କ୍ଷତି ହ୍ରାସ କରାଯିବ । କେନାଲରୁ ଜଳ ନିଷ୍କାସନ ଯୋଗୁ ଜଳ ଯୋଗାଣ  ଏବଂ ଲୁଣି ଯୋଗୁ ବ୍ୟବହାର ପାଇଁ ଅନୁପଯୁକ୍ତ ମୂଲ୍ୟବାନ ଚାଷଜମିର ପୁନରୁଦ୍ଧାର କରାଯିବ ।

ବୃହତ୍‌ ଏବଂ ମଧ୍ୟମ ଜଳସେଚନ କ୍ଷେତ୍ର ଅଧୀନରେ ୨୮୭ ଦଶମିକ ୬୨  କିଲୋମିଟର କେନାଲର ଅସମ୍ପୂର୍ଣ୍ଣ ଲାଇନ୍ କାମ ଏବଂ କ୍ଷୁଦ୍ର ଜଳସେଚନ କ୍ଷେତ୍ର ଅଧୀନରେ ୨୪ ଦଶମିକ ୫୮ କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ୬୬୦ ଦଶମିକ ୨୮ କିଲୋମିଟର କେନାଲର ନୂତନ କେନାଲ ଲାଇନ୍ ନିର୍ମାଣ ପାଇଁ କରାଯିବ ବ୍ୟବସ୍ଥା । ସେହିପରି କ୍ଷୁଦ୍ର ଜଳସେଚନ କ୍ଷେତ୍ର ଅଧୀନରେ ୨୯୫ ଦଶମିକ ୩୪ କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଚାଷ ପାଇଁ ଜଳ ଉପଲବ୍ଧତା ବୃଦ୍ଧି ଏବଂ ବଣ୍ଟନ ବ୍ୟବସ୍ଥାରେ ସିପେଜ୍ କ୍ଷତି କରାଯିବ ହ୍ରାସ । ସମଗ୍ର ସିଷ୍ଟମରେ ଉନ୍ନତ ସେବା ମାଧ୍ୟମରେ ଜଳସେଚନ ସମ୍ଭାବନାକୁ ସ୍ଥିର କରିବ । ଯାହା ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ ।