ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୁଅ ସମ୍ବିତ

1 min read

ଭୁବନେଶ୍ବର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି। ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ। ବହିଷ୍କାର ପରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ ବାଲିକୁଦା-ଏରସମାରୁ ଲଢି ପରାଜିତ ହୋଇଥିଲେ।

ଅନ୍ୟପଟେ ଦାମୋଦର ରାଉତଙ୍କ ଉପରୁ ବିଜେଡି ବହିଷ୍କାର ପ୍ରତ୍ୟାହାର କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଅସୁସ୍ଥତା ଯୋଗୁଁ ବାପା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପୁଅ ହିସାବରେ ଧନ୍ୟବାଦ ଦେଉଛି । ଦଳରୁ ବିଦା କରିବା ତାଙ୍କୁ ଖୁବ କଷ୍ଟ ଦେଇଥିଲା। ଏ ଖବର ତାଙ୍କୁ ବହୁତ ଆଶ୍ବସ୍ତ ଦେବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ୍। ବିଜେଡିରୁ ବହିଷ୍କାର ପରେ ବାପା ବିଜେପିରେ ଯୋଗଦେବା ଭୁଲ ନିଷ୍ପତ୍ତି ଥିଲା। ବାପାଙ୍କ ବହିଷ୍କାର ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିବା ବେଳେ କାନ୍ଦିପକାଇଲେ ସମ୍ବିତ। ଏ ଖୁସି ଖବର ବାପାଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

୧୯୭୭ରୁ ୨୦୧୪ ମଧ୍ୟରେ ରାଜ୍ୟ ବିଧାନସଭାକୁ ୭ଥର ନିର୍ବାଚିତ ହୋଇଛନ୍ତି ଦାମୋଦର ରାଉତ । ଲମ୍ବା ସମୟ ଧରି ବିଜେଡି ସହ କାମ କରିଛନ୍ତି। ଅନେକ ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।