ତାମିଲନାଡୁର କୁଡ୍ଡାଲୋରରେ ବାଣ କାରଖାନାରେ ବିସ୍ଫୋରଣ, ୬ ମୃତ

କୁଡ୍ଡାଲୋର: ତାମିଲନାଡୁର କୁଡ୍ଡାଲୋରର ଏକ ବାଣ କାରଖାନାରେ ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଯାବତ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ତାମିଲନାଡୁର କୁଡ୍ଡାଲୋରରେ ଶୁକ୍ରବାର ସକାଳେ ଯେତେବେଳେ ଲୋକମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ, ଠିକ ସେତିକିବେଳେ ସେହି ଅଞ୍ଚଳରେ ଏକ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ଶବ୍ଦ ବହୁ ଦୂର ଯାଏ ଶୁଣିବାକୁ ମିଳିଥିଲା ।

ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ଘଟଣାଟି କୁଡ୍ଡାଲୋର ଜିଲ୍ଲାର କଟ୍ଟୁମନ୍ନାରକୋଲୀ ଅଞ୍ଚଳରେ ଏକ ବାଣ କାରଖାନାରେ ହୋଇଥିବା ଜଣାପଡ଼ିଥିଲା । ଏହି ଅଞ୍ଚଳ ରାଜଧାନୀ ଚେନ୍ନାଇ ଠାରୁ ୧୯୦ କିଲୋମିଟର ଦୂରରେ ଅବସ୍ଥିତ ।

କାରଖାନାରେ ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଯାବତ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି  । କାରଖାନା ଭିତରୁ ସମସ୍ତ ମୃତ ଦେହକୁ ବାହାର କରାଯାଇଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଜଣାଇ ରଖୁଛୁ ଯେ ଏହି ଦୁର୍ଘଟଣାରେ ଅନେକ ଲୋକ ଗମ୍ଭୀର ରୂପରେ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a Reply