ଚାଇନା ରାସ୍ତାରେ ଚାଲି ମଝି ନଇରେ ଫସିଗଲା ଶ୍ରୀଲଙ୍କା 

1 min read

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କାର ସଙ୍କଟ ଦକ୍ଷିଣ ଏସିଆର ଅନେକ ଦେଶର ଆଖି ଖୋଲିଦେଇଛି । ଚାଇନା ରାସ୍ତାରେ ଚାଲି ମଝି ନଇରେ ଫସିଯାଇଛି ଶ୍ରୀଲଙ୍କା  । ଧନୀ ହେବାର ସ୍ୱପ୍ନ ଦେଖି ଶ୍ରୀହିନ ହୋଇପଡ଼ିଛି ସୁବର୍ଣ୍ଣ ଲଙ୍କ । ବେଲ୍ଟ୍ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ ନାଁରେ ଚୀନ୍ ବାଣ୍ଟିଥିଲା ସ୍ୱପ୍ନ । ଶ୍ରୀଲଙ୍କା ମଧ୍ୟ ପାକିସ୍ତାନ ଭଳି ସ୍ୱପ୍ନର ସୌଦାଗର ଚୀନ୍ ଜାଲରେ ପଡିଥିଲା । ଚୀନ୍ ଲୋନ୍ ଅର୍ଥରେ ଶ୍ରୀଲଙ୍କା ନେତା ଦେଖିଥିଲେ କାୟା ପରିବର୍ତ୍ତନର ସ୍ୱପ୍ନ । ଏବେ ସେଇ ସ୍ୱପ୍ନ ଦୁଃସ୍ୱପ୍ନରେ ପରିଣତ ହୋଇଛି । ଦେଶର ଅର୍ଥନୀତି ଭୁଷୁଡି ପଡିଛି । ହା ଅନ୍ନର ଚିନ୍ତା ଲୋକଙ୍କୁ କରିଛି ଶରଣାର୍ଥୀ । ନେତା ନିଜ ଦୁର୍ଗ ଭିତରେ ଥିବା ବେଳେ ସାଧାରଣ ଜନତା ପେଟ୍ରୋଲ ପମ୍ପରୁ ଗ୍ୟାସ୍ ଷ୍ଟେଶନରେ ଲଢୁଛି ବଂଚିବାର ଯୁଦ୍ଧ ।

ଶ୍ରୀଲଙ୍କାର ଅର୍ଥନୈତିକ ସଂକଟ ରାଜନୈତିକ ସ୍ଥିତିକୁ ମଧ୍ୟ ଅସ୍ଥିର କରିପକାଇଛି  । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦାବି କରିଛନ୍ତି ସାଧାରଣ ଲୋକେ । ବ୍ୟାପକ ବିରୋଧ ଭିତରେ  ଶ୍ରୀଲଙ୍କା କ୍ୟାବିନେଟର ସମସ୍ତ ୨୬ ଜଣ ମନ୍ତ୍ରୀ ସମୂହ ଇସ୍ତଫା ଦେଇଛନ୍ତି  । ଆସନ୍ତା ଦିନରେ ଯଦି ଏପରି ବିଭିଷିକାର ବିଚଳିତ ଚିତ୍ର ଜାରି ରହେ, ତେବେ ଶ୍ରୀଲଙ୍କାରେ ଦେଖାଦେବ ଭୟଙ୍କର ପରିସ୍ଥିତି  ।ହିଂସା, ହତ୍ୟା, ଲୁଟ ଓ ଆତଙ୍କରାଜ ଭଳି ପରିସ୍ଥିତର ସମ୍ମୁଖୀନ ହେବ ଏହି ଦେଶ  । ରାଜନୈତିକ ସ୍ଥିତି ମଧ୍ୟ ଅନୁରୂପ ହୋଇପାରେ  । ଆଉ ଯାହାର ସିଧାସଳଖ ପ୍ରଭାବ ପଡୋଶୀ ଦେଶ ଅର୍ଥାତ ଭାରତ ଉପରେ ପଡ଼ିପାରେ  । ତେଣୁ ଶ୍ରୀଲଙ୍କାକୁ ସାହାଯ୍ୟ କରୁଛି ଭାରତ ।

ଶକ୍ତି, ଖାଦ୍ୟ ଶସ୍ୟ, ମେଡିସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ  ସବୁର ଅଭାବ । ବାହାର ଦେଶ ଉପରେ ନିର୍ଭରଶୀଳ ଶ୍ରୀଲଙ୍କା ପାଇଁ ୨.୩୧  ବିଲିୟନ ଡଲାର ବିଦେଶୀ ମୁଦ୍ରା ଅପହଂଚ । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ସ୍ୱୀକାର କରିଛନ୍ତି ଯେ, ଶ୍ରୀଲଙ୍କା  ୧୦ ବିଲିୟନ ଡଲାର ବିଦେଶୀ ମୁଦ୍ରା ଅନ୍ତ୍ରରାଷ୍ଟ୍ରୀୟ ବଜାରରେ  ହରାଇଛି  । ଦେଢ ଦଶକ ପୂର୍ବରୁ LTTE ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରଣନୀତିକାର ଏବଂ ତାଙ୍କ ଭାଇ ମଧ୍ଯ କିନ୍ତୁ ଏବେ ଏମିତି ଗୋଟିଏ ଯୁଦ୍ଧ ଲଢୁଛନ୍ତି ଯାହା ସେମାନେ ଜିତିବା ଏକରକମ ଅସମ୍ଭବ । ଶ୍ରୀଲଙ୍କା ଅର୍ଥନୀତିର ପତନ ପାଇଁ ସରକାରଙ୍କ ଭୁଲ ନୀତିକୁ ମଧ୍ୟ ଦାୟୀ କରାଯାଉଛି । 2019 ରେ କୋଭିଡ୍ କାଲରେ ଲୋକହ୍କ ମନ ଜିତିବା ପାଇଁ ସରକାର କର ହ୍ରାସ କରିଥିଲେ । ଯାହା ଶ୍ରୀଲଙ୍କା ପାଇଁ କାଳ ହୋଇଥିଲା । ଶ୍ରୀଲଙ୍କାର ଦୁର୍ଦ୍ଦଶାରୁ ଭାରତରେ ସବୁ ମାଗଣା ବାଣ୍ଟିବା ରାଜନୀତି କରୁଥିବା ନେତାଙ୍କର କିଛି ଶିଖିବାର ନାହିଁ କି ? କାରଣ ଏମିତି ସବୁ ମାଗଣା ବାଣ୍ଟି ୪୦ ବର୍ଷ ତଳେ ଦକ୍ଷିଣ ଆମେରିକାର ସବୁଠାରୁ ଧନି ରାଷ୍ଟ୍ର ଥିବା ଭେନେଜୁଏଲା କାଙ୍ଗାଳ ହୋଇଯାଇଛି ।

ସରୁନି ଶ୍ରୀଲଙ୍କାର ଦୁଃଖ

ସ୍ଥାନୀୟ ଉତ୍ପାଦକମାନଙ୍କୁ ସାହାଯ୍ୟ କରିବା, ଆତ୍ମନିର୍ଭରଶୀଳତା, ଦୁର୍ନୀତି ବିରୋଧୀ ଏବଂ ସରକାରୀ ଖର୍ଚ୍ଚ ହ୍ରାସ କରିବାରେ ଶ୍ରୀଲଙ୍କା ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟପନ୍ଥାକୁ ଗ୍ରହଣ କରିପାରିଥାନ୍ତେ। ଏହା ବ୍ୟତୀତ ରାଜପକ୍ଷ ସରକାର ଚାଇନାର ପାଣ୍ଠି ଦ୍ୱାରା ପରିଚାଳିତ ଅନେକ ପ୍ରଜୋକ୍ଟକୁ ବନ୍ଦ କରିପାରନ୍ତେ  । ଯଦ୍ୱାରା ଦେଶରେ ଋଣ ଏବଂ ବୋଝ କମାଇବାରେ ସହାୟକ ହୋଇପାରିବ । ସେହିପରି ରାସାୟନିକ ସାର ଉପରେ ପ୍ରତିବନ୍ଧକ ଲଗାଇ କୃଷି କାର୍ଯ୍ୟରେ ଜୈବିକ ସାର ପ୍ରୟୋଗ କରିପାରନ୍ତେ  । ଏବଂ ଏଥିରେ ଖର୍ଚ୍ଚ ହେଉଥିବା ଅର୍ଥକୁ ପର୍ଯ୍ୟଟନ ଭିତ୍ତିଭୂମିରେ ନିଯୋଗ କରିପାରନ୍ତେ ଶ୍ରୀଲଙ୍କା ସରକାର । କାରଣ ଯେଉଁଭଳି ଭାବେ ଇଷ୍ଟର ବୋମା ବିସ୍ଫୋରଣ  ଏବଂ କୋଭିଡ ମହାମାରୀ ଶ୍ରୀଲଙ୍କାର ପର୍ଯ୍ୟଟନ ଭିତ୍ତିଭୂମିକୁ ଦୋହଲାଇ ଦେଇଛି, ଯାହା ଦ୍ୱାରା କ୍ଷତିଗ୍ରସ୍ତ ହୋଇପଡିଛି ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ  ।